
ଜୟପୁର: ହତ୍ୟା ମାମଲାରେ ୩୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ମାନ୍ୟବର କୋର୍ଟ । ୨୦୧୧ରେ ଫୁଲମହମ୍ମଦ ହତ୍ୟା ମାମଲାରେ ରାଜସ୍ଥାନର ସାୱାଇ ମାଧୋପୁର ଜିଲ୍ଲାର ଏକ ସ୍ୱତନ୍ତ୍ର କୋର୍ଟ ଏହି ରାୟ ଶୁଣାଇଛନ୍ତି । କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ଯାଞ୍ଚ କରାଯାଇଥିବା ଏହି ମାମଲାର ଶୁଣାଣି କରି କୋର୍ଟ ପୂର୍ବତନ ଡେପୁଟି ପୁଲିସ ଅଧୀକ୍ଷକ ମହେନ୍ଦ୍ର ସିଂଙ୍କ ସମେତ ୩୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏଥିସହ କୋର୍ଟ ୪୯ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସିବିଆଇ ଓକିଲ ଶ୍ରୀଦାସ ସିଂ କହିଛନ୍ତି, କୋର୍ଟ ଏହି ମାମଲାରେ ତତ୍କାଳୀନ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ୩୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଶୁକ୍ରବାର ଚୂଡ଼ାନ୍ତ ରାୟ ଶୁଣାଇବା ବେଳେ ସମସ୍ତଙ୍କୁ ଆଜୀବନ କାରାଦଣ୍ଡ ଏବଂ ବିଭିନ୍ନ ବିଭାଗ ଅଧୀନରେ ଭିନ୍ନ ଜରିମାନା କରାଯାଇଛି।
୨୦୧୧ ମାର୍ଚ୍ଚ ୧୭ ତାରିଖରେ ପୁଲିସ ଇନ୍ସପେକ୍ଟର ଫୁଲ ମହମ୍ମଦ ସୁରୱାଲ ଗ୍ରାମକୁ ଯାଇଥିଲେ । ଯେଉଁଠି ଏକ ହତ୍ୟା ମାମଲାରେ ପୁଲିସର ନିଷ୍ପ୍ରିୟ ବିରୋଧରେ ଜଣେ ବ୍ୟକ୍ତି ପାଣିଟାଙ୍କି ଉପରକୁ ଚଢ଼ିଯାଇଥିଲେ। ଟାଙ୍କି ଉପରୁ ଥାଇ ଆତ୍ମହତ୍ୟା ଧମକ ଦେଇଥିଲେ। ଏହା ପରେ ବ୍ୟକ୍ତି ଜଣକ ତଳକୁ ଡେଇଁ ପଡ଼ିବାରୁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଫୁଲ ମହମ୍ମଦଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରିଥିଲେ। ମହମ୍ମଦ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଅସଫଳ ହୋଇଥିଲେ। ଲୋକେ ଢେଲାପଥର ମାଡ଼ କରି ତାଙ୍କୁ ହତ୍ୟା କରିଥିଲେ।