ଝାରସୁଗୁଡ଼ା, (ସତ୍ୟପାଠବ୍ୟୁରୋ): ଓଡ଼ିଶାରେ ବଜ୍ରପାତଜନିତ ମୃତ୍ୟୁ ଚିନ୍ତା ବଢ଼ାଇବାରେ ଲାଗିଛି। ବର୍ଷା ଋତୁରେ ଘନଘନ ବଜ୍ରପାତ ଯୋଗୁଁ ଅନେକ ଜୀବନ ଅକାଳରେ ଝରିପଡ଼ୁଛି। ବିଶେଷକରି ଖୋଲା ସ୍ଥାନରେ କାମ କରୁଥିବା ଚାଷୀ ଓ ଶ୍ରମିକମାନେ ଏହାର ଅଧିକ ଶିକାର ହେଉଛନ୍ତି। ସଚେତନତା ଓ ସତର୍କତା ଅଭାବରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାର ଉପକୂଳରେ ବଜ୍ରାଘାତ ଏବଂ ତଦଜନିତ ମୃତ୍ୟୁ ସଂଖ୍ୟା ଅଧିକ ହେବାରେ ଲାଗିଛି। ଖାସକରି ହୀରାକୁଦ ଜଳଭଣ୍ଡାର ଉପକୂଳ ଝାରସୁଗୁଡ଼ା  ଜିଲ୍ଲାରେ ବଜ୍ରପାତ ଯୋଗୁଁ ଗତ ୫ ବର୍ଷରେ ସରକାରୀ ଭାବେ ୨୯ ଜଣଙ୍କ ମୃତ୍ୟୁ ହେବା ସହ ସେମାନଙ୍କର ପରିବାରବର୍ଗଙ୍କୁ ଚାରି ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ମେଘ ଦେଖିଲେ ଏବେ ହୀରାକୁଦ ଜଳଭଣ୍ଡାର ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କର ଚିନ୍ତା ବଢ଼ୁଛି। ବିଶେଷକରି ଜଳଭଣ୍ଡାରରେ ମାଛ ଧରୁଥିବା ମତ୍ସ୍ୟଜୀବୀ, ଚାଷୀ ଓ ଖୋଲା ସ୍ଥାନରେ କାମ କରୁଥିବା ଲୋକ ବଜ୍ରପାତ ସମୟରେ ଅଧିକ ବିପଦରେ ପଡ଼ୁଛନ୍ତି। ଜିଲ୍ଲାରେ ବଜ୍ରପାତର ଚିତ୍ର ଦେଖିଲେ ବିପଦର ଗଭୀରତା ଅନୁମାନ କରାଯାଇପାରେ। ୨୦୨୦ରେ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ସହ ୩ ଜଣ ଆହତ ହୋଇଥିଲେ। ୨୦୨୧ରେ ୪, ୨୦୨୨ରେ ୬, ୨୦୨୩ରେ ୨, ୨୦୨୪ରେ ୪ ଓ ୨୦୨୫ରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଚଳିତ ବର୍ଷ ଅଗଷ୍ଟ ୨୩ ସୁଦ୍ଧା ଆଉ ୨ ଜଣଙ୍କ ବଜ୍ରପାତ ଜନିତ ମୃତ୍ୟୁ ପାଇଁ ସରକାରୀ ସହାୟତା ପ୍ରଦାନ ହୋଇଛି। ଚଳିତ ବର୍ଷ ଲଇକେରା ବ୍ଲକରେ ଜଣେ ସରକାରୀ ହାଇସ୍କୁଲର ଖେଳ ଶିକ୍ଷକ ବଜ୍ରପାତର ଶିକାର ହୋଇଥିଲେ ମଧ୍ୟ ତାଙ୍କ ପରିବାରକୁ ଏପର୍ଯ୍ୟନ୍ତ ସରକାରୀ ସହାୟତା ମିଳି ନାହିଁ। ୨୦୦୧ରୁ ୨୦୧୫ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ବଜ୍ରପାତରେ ୬୯ ଜଣଙ୍କ ମୃତ୍ୟୁ ହୋଇଥିବା ତଥ୍ୟରୁ ଜଣାପଡ଼ିଛି। ୨୦୧୯ର ଜିଲ୍ଲା ଡିଜାଷ୍ଟର ମ୍ୟାନେଜମେଣ୍ଟ ପ୍ଲାନରେ ମଧ୍ୟ ଗତ ୫ ବର୍ଷର ତଥ୍ୟ ଦିଆଯାଇଥିଲା। ସେଥିରେ ଝାରସୁଗୁଡ଼ା ବ୍ଲକରେ ୭ଟି ଘଟଣାରେ ୭ ମୃତ୍ୟୁ, ଲଖନପୁରରେ ୮ଟି ଘଟଣାରେ ୮ ମୃତ୍ୟୁ, କୋଲାବିରାରେ ଗୋଟିଏ ଘଟଣାରେ ୫ ମୃତ୍ୟୁ, ଲଇକେରାରେ ୭ଟି ଘଟଣାରେ ୯ ମୃତ୍ୟୁ ଓ କିର୍ମିରାରେ ୨ଟି ଘଟଣାରେ ୪ ମୃତ୍ୟୁ ଦର୍ଶାଯାଇଥିଲା। କେବଳ ଝାରସୁଗୁଡ଼ା ନୁହେଁ, ସାରା ରାଜ୍ୟରେ ବଜ୍ରପାତ ଏକ ବଡ଼ ପ୍ରାକୃତିକ ବିପଦ ଭାବେ ଉଭା ହୋଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଯୋଜନା ଅନୁଯାୟୀ, ୭ ବର୍ଷ ମଧ୍ୟରେ ଓଡ଼ିଶାରେ ବଜ୍ରପାତରେ ୨,୫୧୮ ଜଣଙ୍କ ଜୀବନ ଯାଇଛି। ଏହି ମୃତ୍ୟୁର ପ୍ରାୟ ୭୧ ପ୍ରତିଶତ ମେ’ରୁ ଅଗଷ୍ଟ ମଧ୍ୟରେ ଘଟୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୨୫ ମାର୍ଚ୍ଚ ୨୦ରୁ ମେ’ ୩୦ ପର୍ଯ୍ୟନ୍ତ ଓଡ଼ିଶାରେ ଘଟିଥିବା ବଜ୍ରପାତ ଘଟଣା ଉପରେ କରାଯାଇଥିବା ଗବେଷଣାରେ ଅଧିକାଂଶ ବଜ୍ରପାତଜନିତ ମୃତ୍ୟୁ ଅପରାହ୍ନ ୧ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଘଟିଥିବା ଜଣାପଡ଼ିଛି। ହୀରାକୁଦ ଜଳଭଣ୍ଡାର କୂଳ ଅଞ୍ଚଳରେ ବଜ୍ରପାତର ଆଶଙ୍କାକୁ ନେଇ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଭାରତୀୟ ପାଣିପାଗ ବିଭାଗର ଗବେଷଣାଭିତ୍ତିକ ତଥ୍ୟ ଅନୁଯାୟୀ, ପ୍ରାକ୍‌-ମୌସୁମୀ ସମୟରେ ପଶ୍ଚିମ ଓଡ଼ିଶାର ଭୂପୃଷ୍ଠ ଅତ୍ୟଧିକ ଗରମ ହୋଇଥାଏ। ଏହା ସହ ମହାନଦୀ ଅବବାହିକା ଓ ଜଳଭଣ୍ଡାରରୁ ବାୟୁମଣ୍ଡଳକୁ ମିଳୁଥିବା ଅଧିକ ଆର୍ଦ୍ରତା ମିଶି ଘଡ଼ଘଡ଼ି ସହ ଶକ୍ତିଶାଳୀ ମେଘ ସୃଷ୍ଟି ପାଇଁ ଅନୁକୂଳ ପରିବେଶ ତିଆରି କରିଥାଏ। ସେପଟେ ଏଠାକାର ଲୋକଙ୍କ ଅଧିକ ଖୋଲା ଅଞ୍ଚଳରେ ରହିବା ଏବଂ ଜଳଭଣ୍ଡାରରେ ମତ୍ସ୍ୟଜୀବୀଙ୍କ ଉପସ୍ଥିତି ମିଶି ବିପଦକୁ ବଢ଼ାଉଛି। ବିଶେଷଜ୍ଞ ମତ ଅନୁଯାୟୀ, ସମଗ୍ର ହୀରାକୁଦ ଜଳଭଣ୍ଡାରକୁ ‘ବଜ୍ରପାତ ହଟସ୍ପଟ୍‌’ ଭାବେ ଚିହ୍ନଟ କରିବା ପରିବର୍ତ୍ତେ ଜଳଭଣ୍ଡାର ଓ ଲଖନପୁର ସମେତ ସଂଲଗ୍ନ ଅଞ୍ଚଳକୁ ବଜ୍ରପାତ ସମୟରେ ଅଧିକ ମାନବୀୟ ଉନ୍ମୁକ୍ତତା ଥିବା ଅଞ୍ଚଳ ଭାବେ ଦେଖାଯାଉଛି। ତେଣୁ ବଜ୍ରପାତର ପୂର୍ବ ସୂଚନା ମିଳିବା ସହିତ ଲୋକଙ୍କୁ ଖୋଲା ସ୍ଥାନ, ଜଳାଶୟ ଓ ଗଛ ତଳ ଛା