
ଲଣ୍ଡନ: ୨୦୨୩ ଜୁନ୍ ୩ ତାରିଖରେ ହେବ ରାଜା ତୃତୀୟ ଚାର୍ଲସ୍ଙ୍କ ଅଭିଷେକ ଉତ୍ସବ । ଏନେଇ ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି।
ଇଂଲଣ୍ଡ୍ର ଏକ ସମ୍ବାଦପତ୍ରରୁ ଉଦ୍ଧୃତ କରି ‘ପେଜ୍ ସିକ୍ସ’ କହିଛି ଯେ, ୱେଷ୍ଟ୍ମିନ୍ଷ୍ଟର୍ ଆବିରେ ଅଭିଷେକ ଅନୁଷ୍ଠାନ ଆୟୋଜନ କରାଯିବ। କିନ୍ତୁ, ଏହା ତାଙ୍କ ମାଆ ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ଅଭିଷେକ ଅପେକ୍ଷା ଛୋଟ ଏବଂ ନିରାଡ଼ମ୍ବର ହେବ।
ରାଣୀ ଦ୍ବିତୀୟ ଏଲିଜାବେଥ୍ଙ୍କ ମୃତ୍ୟୁର ୨ ଦିନ ପରେ ଚାର୍ଲସ୍ ସିଂହାସନ ଆରୋହଣ କଲେ ସୁଦ୍ଧା ବିଧିବଦ୍ଧ ଭାବେ ତାଙ୍କ ଶାସନ ଜୁନ୍ରେ ଆରମ୍ଭ ହେବ। ତାଙ୍କ ସହିତ ପତ୍ନୀ କାମିଲା ପାର୍କର-ବାୱେଲ୍ସ୍ ମଧ୍ୟ ରାଣୀ ମୁକୁଟ ପରିଧାନ କରିବେ।
ଅଭିଷେକ ବେଳକୁ ୭୪ ବର୍ଷରେ ପଦାର୍ପଣ କରିଥିବା ଚାର୍ଲସ୍ ହେବେ ବ୍ରିଟିସ୍ ଇତିହାସରେ ସବୁଠୁ ବୃଦ୍ଧ ରାଜା। ପ୍ରଥାନୁଯାୟୀ, ଉଚ୍ଚସ୍ତରୀୟ ପାଦ୍ରୀଙ୍କଦ୍ବାରା ପବିତ୍ର କରାଯାଇଥିବା ତୈଳ ଲଗାଇ ନୂଆ ରାଜା ‘ଏଡ୍ୱାଡ୍ସ୍ ଚେୟାର୍’ ନାମରେ ପ୍ରସିଦ୍ଧ ସିଂହାସନରେ ବସିବେ। ୧୬୬୧ରେ ରାଜା ଦ୍ବିତୀୟ ଚାର୍ଲସ୍ଙ୍କ ନାମାନୁସାରେ ଏହି ସିଂହସନର ନାମକରଣ କରାଯାଇଥିଲା। ଏଥିସହ ସେ ଖ୍ରୀଷ୍ଟିଆନ୍ ଦୁନିଆର ସଙ୍କେତ ପ୍ରଦାନ କରୁଥିବା ରାଜଦଣ୍ଡ, ଛଡ଼ ଓ ଗୋଲକ ଧାରଣ କରିବେ।
ଏହାପରେ ରାଜାରାଣୀ ବକିଙ୍ଗ୍ହାମ୍ ପ୍ରାସାଦ ବାଲ୍କୋନିରେ ଥାଇ ଦେଶବାସୀଙ୍କୁ ଉଦ୍ବୋଧନ ଦେବେ