
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମାଟିରେ ମିଶିବ ବିବାଦିୟ ତ୍ରାହି ଅଚ୍ୟୁତ ଆଶ୍ରମ । ବେଆଇନ ଭାବେ ନିର୍ମାଣ ହୋଇଥିବା ଅଟ୍ଟାଳିକା ଉପରେ ଚାଲିବ ବୁଲଡୋଜର । ଝିଂଟି ସ୍ଥିତ ତ୍ରାହି ଅଚ୍ୟୁତ ନଗରରେ ୨୧ଟି ଡୁପଲେକ୍ସ ନିର୍ମାଣ କରାଯାଇଛି । ଆଜି ଏହି ଡୁପଲେକ୍ସ ଭାଙ୍ଗିବ ବିଡିଏ । ବିଡିଏର ମିଳିତ ଏନଫୋର୍ସମେଣ୍ଟ ଟିମ୍ ଏହି ଡୁପଲେକ୍ସ ଗୁଡ଼ିକୁ ଉଚ୍ଛେଦ କରିବେ ।ଏହି ଡୁପଲେକ୍ସ ଗୁଡ଼ିକ ବେଆଇନ ଭାବେ ବିନା ଅନୁମତିରେ ନିର୍ମାଣ ହୋଇଥିବା ଅଭିଯୋଗ ହୋଇଥିଲା । କୋର୍ଟରେ ମାମଲା ପରେ ଏଗୁଡ଼ିକୁ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ୍ ସୁରବାବା ଏହାକୁ ନିର୍ମାଣ କରିଥିଲେ ।
ବିଭିନ୍ନ ବିବାଦରେ ଛନ୍ଦି ହୋଇ ୨୦୧୫ରେ ସୁରବାବା ଗିରଫ ହୋଇଥିଲେ । ସେହି ସମୟରେ ଏହି ଘଟଣା ବେଶ୍ ଚର୍ଚ୍ଚା ହେବା ସହ ବିବାଦରେ ରହିଥିଲା । ଏହି ଘଟଣାରେ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦୁଇ ପୁଅ ତ୍ରିଲୋଚନ ଓ ବିରଞ୍ଚି ମଧ୍ୟ ଗିରଫ ହୋଇଥିଲେ । ୨୦୨୦ ମସିହାରେ ଶାରୀରିକ ଅସୁସ୍ଥତା ଯୋଗୁ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦେହାନ୍ତ ହୋଇଛି ।