
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜୁନ୍ ୧୫ ସୁଦ୍ଧା ସମ୍ପୂର୍ଣ୍ଣ ହେବ ୨୫ ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ । ପ୍ରତି ୱାର୍ଡରେ ଥିବା ଖୋଲାସ୍ଥାନ ଓ ଛାତ ଉପରେ ଯେଭଳି ଶତ ପ୍ରତିଶତ ପ୍ରକଳ୍ପ ପ୍ରତିଷ୍ଠା ହେବ ସେଥିପାଇଁ ରାଜ୍ୟ ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ନିର୍ଦ୍ଦେଶ ଦେଇଛନ୍ତି । ପୌର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଜଳ ଅମଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ ସହିତ ଏହି ନୂତନ ଲକ୍ଷ୍ୟ ପୂରଣ ପାଇଁ କୁହାଯାଇଛି । ସମୀକ୍ଷାରୁ ଜଣାଯାଇଛି ଯେ ୧୯୯୯ଟି ୱାର୍ଡରେ ୨୫ହଜାର ଜଳ ଅମଳ ସଂରଚନା ପ୍ରକଳ୍ପ ସ୍ଥାପନ ପାଇଁ ଲକ୍ଷ୍ୟ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୧୮୦୦ ୱାର୍ଡରେ ୨୨,୦୮୯ ଟି ସ୍ଥାନ ଚିହ୍ନଟ ହୋଇଥିବାବେଳେ ଅବଶିଷ୍ଟ କାର୍ୟ୍ୟ ତୁରନ୍ତ ସାରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏଥି ସହିତ ଗତବର୍ଷ ଯେଉଁସବୁ ଜଳ ଅମଳ ପ୍ରକଳ୍ପ ନିର୍ମାଣ ହୋଇଥିଲା ତାହାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି । ବୈଠକରେ ମୁକ୍ତା, ଜାଗା ମିଶନ୍, ଆହାର, ଏଲଇଡି ଷ୍ଟ୍ରିଟ୍ ଆଲୋକ ବ୍ୟବସ୍ଥା ଓ ପରିମଳ ଆଦିର ସମୀକ୍ଷା କରାଯାଇଥିଲା । ପୌରାଞ୍ଚଳଗୁଡିକରେ ଚଳାଯାଉଥିବା ବିଭିନ୍ନ ଯୋଜନାର କାର୍ୟ୍ୟକାରିତାକୁ ତ୍ୱରାନ୍ୱିତ କରିବା ସହିତ ପ୍ରକଳ୍ପଗୁଡ଼ିକୁ ଧାର୍ୟ୍ୟ ସମୟରେ ସମାପ୍ତ କରିବାକୁ ନିଶ୍ଚିତ କରାଯାଇଥିଲା । ସମସ୍ତ ପୌରାଞ୍ଚଳକୁ ମଧ୍ୟ ଏକ ଘରୋଇ ମୋଡରେ ବସ୍ତି ଏବଂ ବିଜୁ ଆଦର୍ଶ କଲୋନୀରେ ପ୍ରତ୍ୟେକ ଘରୋଇ ଗୋଷ୍ଠି ଶୌଚାଳୟ ର୍ନିମାଣ କାର୍ୟ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।