ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଲେଜ କ୍ୟାମ୍ପସରେ ଦିଆଗଲା ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ। କଲେଜର ସାଂସ୍କୃତିକ କାର୍ଯ୍ୟକ୍ରମରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଲେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ।ବେଙ୍ଗାଲୁରୁର ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ଏହି ଘଟଣା ସାମ୍ନାକୁ ଆସିଛି । ଦୁଇ ଜଣ ଛାତ୍ର ଓ ଜଣେ ଛାତ୍ରୀ ମିଶି ପାକିସ୍ତାନ ସମର୍ଥନରେ ନାରା ଦେଉଥିବାର ଭିଡିଓ ଭାଇରାଲ ହୋଇଛି । ଏହି ଘଟଣା ପରେ କଲେଜ କର୍ତ୍ତୃପକ୍ଷ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କୁ ନିଲମ୍ବିତ କରିଛି । ଅନ୍ୟପଟେ ଥାନାରେ ମଧ୍ୟ ନାରା ଦେଉଥିବା ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ଗତ ଗୁରୁବାର ଦିନ ଉକ୍ତ ଇଞ୍ଜିନିୟରିଂ କଲେଜରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା । ଏତିକି ବେଳେ ଜଣେ ଛାତ୍ରୀ ଖୁବ୍ ଜୋରରେ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ । ପଛରେ ଥିବା ଆଉ ଦୁଇ ଜଣ ଛାତ୍ର ତାଙ୍କ ସହ ସ୍ବର ମିଳାଇଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀ ସେହି ତିନି ଜଣଙ୍କ ଭିଡିଓ ରେକର୍ଡିଂ କରିଥିଲେ । କିଛି ସେକେଣ୍ଡ ଭିତରେ ଏହି ଭିଡିଓ ଭାଇରାଲ ହୋଇଯାଇଥିଲା । ଏହା ଦେଖି କଲେଜର ଅନ୍ୟ ଛାତ୍ରଛାତ୍ରୀ ଖୁବ୍ ରାଗି ଯାଇଥିଲେ । ସେମାନେ ମିଶି ନାରା ଦେଉଥିବା ଜଣେ ଛାତ୍ରକୁ ମାରପିଟ୍ କରିଥିଲେ ଓ ନିଜ ଆଚରଣ ପାଇଁ କ୍ଷମା ମାଗିବାକୁ କହିଥିଲେ । ଏହାସହିତ କର୍ଣ୍ଣାଟକ ଜିନ୍ଦାବାଦ ବୋଲି କହିବାକୁ ବାଧ୍ୟ କରିଥିଲେ ।

ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଥାନାରେ ସମ୍ପୃକ୍ତ ୩ ଜଣ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ସମସ୍ତେ ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ର ହୋଇଥିବା ଜଣାପଡିଛି । ତେବେ ସେମାନେ ଥଟ୍ଟାମଜାରେ ଏପରି ନାରା ଦେଇଥିଲେ । କାହାର ଭାବନାକୁ ଆଘାତ ଦେବା ଭଳି ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିବା ସମ୍ପୃକ୍ତ ଛାତ୍ରଛାତ୍ରୀ କହିଛନ୍ତି । ପୋଲିସ ସେମାନଙ୍କୁ ଗିରଫ କରିଥିବାବେଳେ, କିଛି ସମୟ ପରେ ସମସ୍ତେ ମୁକୁଳିଥିବା ସୂଚନା ମିଳିଛି ।