ବଲାଙ୍ଗିର : ବଲାଙ୍ଗିର ଆରପିଏଫ ପୁଲିସ୍ କୁ ମିଳିଲା ସଫଳତା । ଚଳନ୍ତା ଟ୍ରେନ ଭିତରୁ ଚୋରି କରି ପରେ ଟ୍ରେନ୍ରୁ ଓହ୍ଲାଇ ତାହାକୁ ଭାଗବଣ୍ଟା କରି ମାଲେମାଲ ହେଉଥିବା ଏକ ଚୋର ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ ଚୋରି ସାମଗ୍ରୀ ଜବତ କରିଛି।
ଗତକାଲି କୋରାପୁଟ ରାଉରକେଲା ଏକ୍ସପ୍ରେସରେ କଳାହାଣ୍ଡି ଜିଲ୍ଲା କେନ୍ଦୁଗୁଡା ଗାଁର ଦାଶରଥି ନାଗ ମୁନିଗୁଡାରୁ ରାଉରକେଲାକୁ ଯାଉଥିଲେ । ରାତି ପ୍ରାୟ ସାଢେ ୧୨ଟା ସମୟରେ ବଲାଙ୍ଗିର ରେଲୱେ ଷ୍ଟେସନରେ ଟ୍ରେନଟି ପହଞ୍ଚିବା ପରେ ହଠାତ ତିନିଜଣ ଯୁବକ ଦାଶରଥିଙ୍କ ବ୍ୟାଗ ଲୁଟ କରି ଫେରାର ମାରିଥିଲେ । ଏନେଇ ଯାତ୍ରୀଜଣକ ବଲାଙ୍ଗିର ଆରପିଏଫରେ ଲିଖିତ ଅଭିଯୋଗ କରିଥିଲେ ।
ଆର.ପି.ଏଫର ସ୍ୱତନ୍ତ୍ର ଟିମ ସିସି.ଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା । ରେଲୱେ ଷ୍ଟେସନଠୁ କିଛି ଦୂରରେ ତିନି ଲୁଟେରା ବ୍ୟାଗ ଖୋଲି ଭାଗବଣ୍ଟା କରୁଥିବା ସମୟରେ ମାଡି ବସିଥିଲା ଆରପିଏଫ ପୁଲିସ୍ ।
ସେମାନଙ୍କଠାରୁ ଟଙ୍କା ସହିତ ବହୁ ମୂଲ୍ୟବାନ କାଗଜପତ୍ର ଉଦ୍ଧାର କରିଥିଲା ଆରପିଏଫ ।
ଗିରଫ ତିନି ଜଣ ହେଉଛନ୍ତି, ବଲାଙ୍ଗିର ସହରର ଠିକାଦାର ସୁନାଧର ବରିହା, କଲେଜଛକର ରାଜେଶ ମେହେର ଏବଂ ସାଗରପଡାର ପ୍ରିତମ ଅଦାବରିଆ । ଏମାନେ ଅଭ୍ୟାସଗତ ଲୁଟେରା ବୋଲି ଜଣାପଡିଛି । ଏମାନଙ୍କ ନାଁରେ ଅନେକ ଅପରାଧିକ ମାମଲା ଥିବା ଜଣାପଡିଛି ।





