ବିଶ୍ବର ୫୦ଟି ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରୁ ୩୯ଟି ଭାରତରେ: ରିପୋର୍ଟ

ଭୁବନେଶ୍ୱର,୧୫/୩ (ସତ୍ୟପାଠ ବ୍ୟୁରୋ): ୨୦୨୨ ମସିହାରେ ଭାରତ ବିଶ୍ବର ଅଷ୍ଟମ ସର୍ବାଧିକ ପ୍ରଦୂଷିତ ଦେଶ। ପୂର୍ବବର୍ଷ ଏହା ୫ମ ସର୍ବାଧିକ ପ୍ରଦୂଷିତ ଦେଶ ଭେବେ ଉଭା ହୋଇଥିଲା। ଗତବର୍ଷ ତୁଳନାରେ ପିଏମ୍‌୨.୫ ସ୍ତର ୫୩.୩ ମାଇକ୍ରୋଗ୍ରାମ୍/ଘନମିଟରକୁ ଖସିଥିଲେ ମଧ୍ୟ ଏହା ତଥାପି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିରାପତ୍ତା ସୀମାଠାରୁ ୧୦ଗୁଣ ବିପଜ୍ଜନକ ସ୍ତରରେ ରହିଛି। ସ୍ବିଜରଲାଣ୍ଡର ସଂସ୍ଥା ଆଇକ୍ୟୁଏୟାର ଏହାର ‘ବିଶ୍ବ ବାୟୁମାନ ରିପୋର୍ଟ’ରେ ମଙ୍ଗଳବାର ଏହା ପ୍ରକାଶ କରିଛି।

ତେବେ ରିପୋର୍ଟ ଅନୁସାରେ ବିଶ୍ଵର ସବୁଠୁ ପ୍ରଦୂଷିତ ସହରଗୁଡ଼ିକର ତାଲିକାରେ ଭାରତ ସର୍ବାଗ୍ରେ ରହିଛି। ବିଶ୍ବର ୫୦ଟି ସର୍ବାଧିକ ପ୍ରଦୂଷିତ ସହର ଭିତରୁ ୩୯ଟି ହେଉଛି ଭାରତର। ସବୁଠୁ ପ୍ରଦୂଷିତ ସହର ତାଲିକାରେ ଶୀର୍ଷରେ ପାକିସ୍ତାନର ଲାହୋର ଓ ଚୀନ୍‌ର ହୋଟାନ ଥିବା ବେଳେ ତା’ ତଳକୁ ରହିଛି ରାଜସ୍ଥାନର ଭିୱାଣ୍ଡି ଓ ଚତୁର୍ଥ ସ୍ଥାନରେ ରହିଛି ଦିଲ୍ଲୀ। ସବୁଠୁ ପ୍ରଦୂଷିତ ୧୦ଟି ସହର ଭିତରେ ଭାରତର ୬ଟି, ୨୦ଟି ସହର ଭିତରେ ଭାରତର ୧୪ଟି, ୫୦ଟି ସହର ଭିତରେ ଭାରତର ୩୯ଟି ଏବଂ ୧୦୦ଟି ସହର ଭିତରେ ଭାରତର ୬୫ଟି ସହର ରହିଛି, ଯାହା ଗତବର୍ଷ ଥିଲା ୬୧ଟି। ଭାରତର ପ୍ରଥମ ୬ଟି ପ୍ରଦୂଷିତ ସହର ହେଉଛି ଦିଲ୍ଲୀ, କୋଲକାତା, ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଓ ଚେନ୍ନାଇ।

ସେହିଭଳି ଏହି ରିପୋର୍ଟରେ ପିଏମ୍‌୨.୫ର ସ୍ତରକୁ ନେଇ ପ୍ରଦୂଷିତ ଦେଶ ଓ ପ୍ରଦୂଷିତ ସହରଗୁଡ଼ିକର ବର୍ଗୀକରଣ କରାଯାଇଛି। ସଂସ୍ଥା ପକ୍ଷରୁ ୧୩୧ଟି ଦେଶ ଉପରେ ଅନୁଧ୍ୟାନ କରାଯାଇଥିଲା। ଏଥିରେ ସବୁଠୁ ପ୍ରଦୂଷିତ ୧୦ଟି ଦେଶ ତାଲିକାରେ ସବା ଉପରେ ଚାଦ (ପିଏମ୍‌୨.୫ର ସ୍ତର ୮୯.୭) ରହିଥିବା ବେଳେ ତା’ ତଳକୁ କ୍ରମାନ୍ବୟରେ ରହିଛନ୍ତି ଇରାକ (୮୦.୧), ପାକିସ୍ତାନ (୭୦.୯), ବାହରିନ (୬୬.୬), ବାଂଲାଦେଶ (୬୫.୮), ବୁର୍କିନା ଫାସୋ (୬୩.୦), କୁଏତ (୫୫.୮), ଭାରତ (୫୩.୩),ଇଜିପ୍ଟ (୪୬.୫) ଓ ତାଜିକିସ୍ତାନ (୪୬.୦)।

Related Posts