ରାଜ୍ୟର ୪୬ ଜଣ ଡାକ୍ତର ଲମ୍ବା ଛୁଟିରେ ଅଛନ୍ତି : ସ୍ବାସ୍ଥ୍ୟ ମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟର ୪୬ ଜଣ ଡାକ୍ତର ଦୀର୍ଘଦିନ ହେବ ଛୁଟିରେ ଅଛନ୍ତି । ଏ ସମ୍ପର୍କରେ ବିଧାନସଭାରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ। ମନ୍ତ୍ରୀଙ୍କ ସୂଚନା ମୁତାବକ ୪୬ ଜଣ ଡାକ୍ତର ଦୀର୍ଘଦିନ ହେବ ଛୁଟିରେ ଥିବା ବେଳେ ଏମାନଙ୍କ ମଧ୍ୟରେ ସର୍ବାଧିକ ୯ ଜଣ ପୁରୀ ଜିଲ୍ଲାର ବୋଲି ଜଣାପଡିଛି ।

ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ୭୮ଜଣ ଡାକ୍ତର ବିଭିନ୍ନ ଜିଲ୍ଲାରୁ ଅନ୍ୟ ସ୍ଥାନକୁ ଡେପୁଟେସନରେ ଯାଇଥିବାବେଳେ ୪୬ଜଣ ଦୀର୍ଘଦିନ ଧରି ଛୁଟିରେ ଅଛନ୍ତି ।

ଛୁଟିରେ ଥିବା ଡାକ୍ତରଙ୍କ ମଧ୍ୟରେ ସର୍ବାଧିକ ୯ଜଣ ପୁରୀ ଜିଲ୍ଲାରୁ ବୋଲି ଜଣାପଡିଛି। ସେହିପରି ବରଗଡରୁ ୭, କୋରାପୁଟରୁ ୪, ରାୟଗଡା, ବାଲେଶ୍ୱରରୁ ୩ଜଣ, ଢେଙ୍କାନାଳ, ଜଗତସିଂହପୁର, କନ୍ଧମାଳ, ଖୋରଧା, ନୟାଗଡ ଓ ସୋନପୁର ଜିଲ୍ଲାରୁ ୨ଜଣ ଏବଂ ଅନୁଗୁଳ, ବୌଦ୍ଧ, ଯାଜପୁର, କେନ୍ଦ୍ରାପଡା ଓ ମାଲକାନଗିରି ଜିଲ୍ଲାରୁ ଜଣେ କରି ଡାକ୍ତର ରହିଛନ୍ତି ।

ଅପରପକ୍ଷରେ ଅନ୍ୟସ୍ଥାନକୁ ଡେପୁଟେସନରେ ଯାଇଥିବା ଡାକ୍ତରଙ୍କ ମଧ୍ୟରେ କଟକରୁ ସର୍ବାଧିକ ୧୭ଜଣ ଥିବାବେଳେ ଯାଜପୁର ଓ କନ୍ଧମାଳରୁ ୭ଜଣ କରି, କେନ୍ଦୁଝରରୁ ୬, ଜଗତ୍‍ସିଂହପୁର ୫, ନୟାଗଡ, କୋରାପୁଟ, ଢେଙ୍କାନାଳ ଓ ବାଲେଶ୍ୱରରୁ ୪ଜଣ କରି, ପୁରୀରୁ ୩, ସୋନପୁର, ଝାରସୁଗୁଡା, ଗଜପତି ଓ ବୌଦରୁ ୨ଜଣ କରି ଏବଂ ଅନୁଗୁଳ, ବରଗଡ, ଦେବଗଡ, କଳାହାଣ୍ଡି, କେନ୍ଦ୍ରାପଡା, ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର ଓ ରାୟଗଡାରୁ ଜଣେ କରି ରହିଛନ୍ତି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି।

Related Posts