ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଲିସ କର୍ମଚାରୀଙ୍କୁ ମହଙ୍ଗା ପଡ଼ିଲା ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ। ବ୍ୟୁଟି ପିଜାଣ୍ଟରେ ଭାଗ ନେଇଥିବା ତାମିଲନାଡୁର ୫ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଶୁକ୍ରବାର ଜଣେ ଏସଆଇଙ୍କ ସମେତ ୫ ଜଣଙ୍କୁ ବଦଳି କରାଯାଇଛି। ତାମିଲନାଡ଼ୁର ନାଗାପାଟିନାମ ଏସପି ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି ।ଏହି ପୁଲିସ କର୍ମଚାରୀମାନେ ବ୍ୟୁଟି ପିଜାଣ୍ଟ ସୋ’ରେ ରାମ୍ପ ୱାକ କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ମାୟୁଲାଦୁଥାରି ଜିଲ୍ଲାର ସେମବାନରକୋଭଲିରେ ଏକ ଘରୋଇ ସଙ୍ଗଠନ ପକ୍ଷରୁ ବ୍ୟୁଟି ପିଜାଣ୍ଟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସାଉଥ ଅଭିନେତ୍ରୀ ୟାସିକା ଆନନ୍ଦ ସ୍ୱତନ୍ତ୍ର ଅତିଥିଭାବେ ନିମନ୍ତ୍ରଣ ହେବା ସହ ଉଦଘାଟନ କରିଥିଲେ। ସେ ମଧ୍ୟ ରାମ୍ପ ସୋରେ ଚାଲିଥିଲେ। ତେବେ କାର୍ଯ୍ୟକ୍ରମର ପରଦିନ ଏହି ଘଟଣା ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହା ପରେ ନାଗାପାଟିନାମ ଏସପି ଏକ ନିର୍ଦ୍ଦେଶନାମା ଜାରି କରି ୫ ଜଣଙ୍କୁ ବଦଳି କରିଥିଲେ ।
