ଭୁବନେଶ୍ୱର,୨୦/୧୨(ସତ୍ୟପାଠ ବ୍ୟୁରୋ): ପୋଲିସ କବ୍ଜାରେ ୭ ଜଣିଆ ମୋ ବସ୍ ଲୁଟେରା ଗ୍ୟାଙ୍ଗ୍। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ନିକୁଞ୍ଜ ସାମନ୍ତରାୟ, ସେକ୍ ମୁନା, ସେକ୍ ସୁଲତାନ, ହଲିମ ଖାନ, ପ୍ରଫୁଲ୍ଲ ବାରିକ, ଦୁର୍ଯ୍ୟୋଧନ ମହାପାତ୍ର, ସେକ ଫିରୋଜ। ସେମାନଙ୍କ ନିକଟରୁ ନଗଦ ୫୭ ହଜାର ଟଙ୍କା ଏବଂ ୯ଟି ମୋବାଇଲ୍ ଫୋନ୍ ଜବତ ହୋଇଛି।
ତେବେ ନିକଟରେ ନୟାପଲ୍ଲୀରେ ବିରଞ୍ଚି ସେଠି ନାମକ ଜଣେ ବ୍ୟକ୍ତି ୪୨ ହଜାର ଟଙ୍କା ଚୋରୀ ନେଇ ଅଭିଯୋଗ କରିଥିଲେ। ବିରଞ୍ଚିଙ୍କ ସହ ଚୋରୀ ହୋଇଥିବା ଅନ୍ୟ ଦୁଇ ଜଣଙ୍କୁ ଡିସିପି ଟଙ୍କା ଫେରାଇଛନ୍ତି।
ସୂଚନା ଅନୁସାରେ, କଟକ ଭୁବନେଶ୍ୱର ରୁଟ୍ରେ ଚାଲିଥିବା ବସ୍କୁ ଟାର୍ଗେଟ୍ କରୁଥିଲା ଏହି ଗ୍ୟାଙ୍ଗ୍। ଏକାଠି ଗୋଟିଏ ବସରେ ଚଢ଼ୁଥିଲେ, କୃତ୍ରିମ ଭିଡ଼ ତିଆରି କରି ଯାତ୍ରୀଙ୍କୁ ଲୁଟୁଥିଲେ। ଚୋରି କରି ସାରିବା ପରେ ବିଭିନ୍ନ ବସ୍ ଷ୍ଟପରେ ଓହ୍ଲାଇ ପଡୁଥିଲେ। ନିଜର ପରିଚୟ ମଧ୍ୟ ଲୁଚାଉଥିଲେ। ତେବେ ଏହି ଚୋର ଗ୍ୟାଙ୍ଗକୁ ପୋଲିସ ଧରିବାରେ ସଫଳ ହୋଇଛି। ଏପର୍ଯ୍ୟନ୍ତ ୬ଟି ମାମଲାରେ ଏମାନଙ୍କର ସମ୍ପୃକ୍ତି ରହିଛି।
