ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ତାମିଲ ଫିଲ୍ମ ନିର୍ମାତା ।ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ ବୟାନ ପାଇଁ ସୁପରିଚିତ ତାମିଲ ଚଳଚ୍ଚିତ୍ର ନିର୍ମାତା କେ. ରାଜନଙ୍କର ପରଲୋକ ହୋଇଛି। ତାଙ୍କର ଏହି ଆକସ୍ମିକ ନିଧନ ଖବର ପ୍ରଚାରିତ ହେବା ପରେ ସୋସିଆଲ ମିଡିଆରେ ଶୋକର ଛାୟା ଖେଳିଯାଇଛି। ତେବେ ମିଳିଥିବା ସୂଚନା ଅନୁଯାୟୀ, ୮୫ ବର୍ଷୀୟ ଫିଲ୍ମନିର୍ମାତା କେ. ରାଜନ ଚେନ୍ନାଇର ଅଡ୍ୟାର ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପୋଲିସ ଏବଂ ଉଦ୍ଧାରକାରୀ ଦଳ ନଦୀରୁ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଏହି ଘଟଣା ସାରା ତାମିଲ ସିନେମା ଜଗତରେ ହଲଚଲ ସୃଷ୍ଟି କରିଛି।

ପୋଲିସ ବର୍ତ୍ତମାନ ମାମଲାର ଯାଞ୍ଚ କରୁଛି ଏବଂ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଖୋଜିବାକୁ ଚେଷ୍ଟା କରୁଛି। କେ. ରାଜନ କେବଳ ଜଣେ ଚଳଚ୍ଚିତ୍ର ନିର୍ମାତା ନଥିଲେ, ବରଂ ତାମିଲ ସିନେମାରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ। ସେ ବିଭିନ୍ନ ଅଡିଓ ଲଞ୍ଚ ଇଭେଣ୍ଟ ଏବଂ ସାକ୍ଷାତକାରରେ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ସମସ୍ୟା ଉପରେ ସର୍ବଦା ଖୋଲାଖୋଲି ଭାବେ ନିଜର ମତ ରଖୁଥିଲେ। ସେ ୧୯୮୩ ମସିହାରେ ଫିଲ୍ମ ‘ବ୍ରହ୍ମଚାରୀଗଲ’ ମାଧ୍ୟମରେ ଜଣେ ପ୍ରଯୋଜକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ।

ଏହା ପରେ ସେ ଅନେକ ଚଳଚ୍ଚିତ୍ର ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ସେ ‘ଥଙ୍ଗମନା ଥଙ୍ଗାଚି’ ଏବଂ ‘ଅନାରଚିଗଲ୍‌’ ଭଳି ଚଳଚ୍ଚିତ୍ରର କାହାଣୀ ମଧ୍ୟ ଲେଖିଥିଲେ।ନିର୍ଦ୍ଦେଶନା ଏବଂ ପ୍ରଯୋଜନା ବ୍ୟତୀତ ସେ ଅନେକ ସିନେମାରେ ଛୋଟ ବଡ଼ ଭୂମିକାରେ ଅଭିନୟ ମଧ୍ୟ କରିଥିଲେ। କେ. ରାଜନଙ୍କ ବିୟୋଗରେ ତାମିଲ ଚଳଚ୍ଚିତ୍ରର ଅନେକ ବଡ଼ ବଡ଼ କଳାକାର, ନିର୍ଦ୍ଦେଶକ ଏବଂ ପ୍ରଶଂସକମାନେ ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।