ଭୁବନେଶ୍ୱର, ୨୩/୦୬ (ସତ୍ୟପାଠ ବ୍ୟୁରୋ): ହାଇ ସିକ୍ୟୁରିଟି ନମ୍ବରପ୍ଲେଟ୍ ନଲଗାଇଥିଲେ ଆଜିଠାରୁ କଡ଼ା କାର୍ଯ୍ୟାନୁଷ୍ଠାନ । ତେବେ ଗତ ଜୁନ ୭ ତାରିଖ ସୁଦ୍ଧା ମୋଟ ୪୦,୯୩,୬୦୮ ଗାଡି ମାଲିକ ସ୍ଲଟ୍ ବୁକ୍ କରିଛନ୍ତି, ସେଥିମଧ୍ୟରୁ ୩୫,୮୭,୫୭୭ ଗାଡିରେ HSRP ଲଗାଯାଇଛି । ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି । ଏନେଇ ପୂର୍ବରୁ ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ ଏବଂ ଏନଫୋର୍ସମେଣ୍ଟ ଲାଲମୋହନ ସେଠୀ (ସଡକ ସୁରକ୍ଷା) ସୂଚନା ଦେଇଥିଲେ ।
ମୋଟର ଭେହିକିଲ ଆକ୍ଟ, ୧୯୮୮, ଧାରା ୧୯୨ ଅଧୀନରେ ଯଦି ଗାଡିଟିରେ HSRP ନଥିବ, ତେବେ ସେହି ଗାଡି ବିରୋଧରେ ଇ-ଚାଲାଣ କଟାଯିବ । ଏଥିସହ ୫୦୦୦/ – କିମ୍ବା ୧୦, ୦୦୦/ – ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ । CMVR, ୧୯୮୯ର ନିୟମ ୫୦ ଅନୁଯାୟୀ, ସମସ୍ତ ଯାନକୁ HSRP ସହିତ ସଂଲଗ୍ନ କରିବା ବାଧ୍ୟତାମୂଳକ ବୋଲି ପୂର୍ବରୁ କୁହାଯାଇଛି ।
ଓଡିଶା ରେଜିଷ୍ଟ୍ରେସନ୍ ମାର୍କ ଥିବା ୨୦୧୯ ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ଲଗେଇବାର ଅବଧି ଗତ ଫେବୃୟାରୀ ୨୮ ତାରିଖରେ ଶେଷ ହୋଇଥିଲା । ଏହା ଦେଖାଯାଉଛି ଯେ କିଛି ଗାଡି HSRP ରେଜିଷ୍ଟ୍ରେସନ୍ ପ୍ଲେଟ୍ ନଲଗାଇ ରାସ୍ତାରେ ଗାଡି ଚଳାଉଛନ୍ତି । ରାଜ୍ୟ ପରିବହନ ପ୍ରାଧିକରଣ, ଓଡିଶା ୨୩ଜୁନ୍ ୨୦୨୩ରୁ HSRP ବିନା ଚାଲୁଥିବା ଯାନଗୁଡିକୁ ଚିହ୍ନଟ କରିବା ଏବଂ ଦଣ୍ଡବିଧାନ ପାଇଁ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଥିଲେ । ସୁତରାଂ ଆଜିଠାରୁ, ତେଣୁ ଏହି ନିୟମ ଲାଗୁ ହେବାକୁ ଯାଉଛି ।





