ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଏନ୍‌ବିଡବ୍ଲୁ ଜାରି ହେବା ପରେ ବିଦ୍ୟାଭାରତୀଙ୍କୁ ପାଉନି ପୁଲିସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୨୦୨୧ ମସିହାର ବହୁଚର୍ଚ୍ଚିତ ପାରଳାଖେମୁଣ୍ଡିର ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, DFO ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା (ଏନ୍‌ବିଡବ୍ଲୁ) ଜାରି ହୋଇଛି | ତେବେ ଏନ୍‌ବିଡବ୍ଲୁ ଜାରି ହେବାପରେ ବେତନଟୀ ବ୍ଲକ ଅଧୀନ ନଡ଼ପୁର-ନୂଆଗାଁରେ ପ୍ରାଣୀଧନ ନିରୀକ୍ଷକ ଭାବେ କାର୍ଯ୍ୟରତ ସ୍ୱର୍ଗତ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଛୁଟିରେ ପଳାଇ ଯାଇଥିବା ବେଳେ ତାଙ୍କୁ ଖୋଜୁଛି ପୁଲିସ।

ବିଦ୍ୟାଭାରତୀ ଗତ ମାସ ୨୭ ତାରିଖରେ କୌଣସି କାମ ଥିବା ଦର୍ଶାଇ ଜୁନ ୨୮ରୁ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଅନୁପସ୍ଥିତ ରହିବେ ଦର୍ଶାଇ ଦରଖାସ୍ତ ଆବେଦନ କରିଛନ୍ତି ଓ ଛୁଟିରେ ପଳାଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ବେତନଟୀ ବ୍ଲକ ମୋବାଇଲ ଭେଟେରିନାରୀ ୟୁନିଟର ଭେଟେରିନାରୀ ଆସିଷ୍ଟାଣ୍ଟ ସର୍ଜନ ଡ.ସ୍ୱୟମ ପ୍ରକାଶ ନାୟକ । ତେବେ ଗତକାଲି ଛୁଟି ଅବଧି ସରିଥିବାରୁ ବିଦ୍ୟାଭାରତୀଙ୍କ ଅଫିସକୁ ପୁଲିସ ଯାଇଥିଲା। ହେଲେ ଅଫିସରେ ବିଦ୍ୟାଭାରତୀ ନଥିଲେ। ବିଦ୍ୟାଭାରତୀ ନିଜର ଛୁଟି ଅବଧି ବଢ଼ାଇଛନ୍ତି ନାହିଁ ତାହା ଜଣାପଡ଼ି ନାହିଁ।

ଏପଟେ ମାନ୍ୟବର ଅଦାଲତ ଏନ୍‌ବିଡବ୍ଲୁ ଜାରି କରିବା ପରେ ପୁଲିସ ପୈତୃକ ଘର କପ୍ତିପଦାରେ ଖୋଜାଖୋଜି କରି ବିଦ୍ୟାଭାରତୀଙ୍କୁ ପାଇନାହିଁ । ପରେ କପ୍ତିପଦା ପୁଲିସ ସୋମବାର ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କୁ ଯୋଗାଯୋଗ କରିଛନ୍ତି । ବିଦ୍ୟାଭାରତୀ ଛୁଟିରେ ଯାଇଥିବାରୁ ତାଙ୍କ ନିକଟରେ ପୁଲିସ ପହଞ୍ଚିବାରେ ଅଦ୍ୟାବଧି ବିଫଳ ରହିଛି ।

Related Posts