ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋଦି ସାଙ୍ଗିଆ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବଡ଼ ଝଟକା । ରାହୁଲଙ୍କ ରିଭ୍ୟୁ ପିଟିସନକୁ ଖାରଜ କଲେ କୋର୍ଟ ।ସୁରତ କୋର୍ଟଙ୍କ ରାୟକୁ କାଏମ ରଖି ରାହୁଲଙ୍କ ଆବେଦନ ଖାରଜ କଲେ ଗୁଜରାଟ ହାଇକୋର୍ଟ । ମୋଦି ସାଙ୍ଗିଆ ମାନହାନୀ ମାମଲାରେ ଆଜି ଗୁଜୁରାଟ ହାଇକୋର୍ଟ ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି ।
ମୋଦି ସାଙ୍ଗିଆ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ରିଭ୍ୟୁ ପିଟିସନ ଉପରେ ଆଜି ଗୁଜରାଟ ହାଇକୋର୍ଟରେ ଶୁଣାଣି ହୋଇଥିଲା । ଦିନ ୧୧ଟା ବେଳେ ହାଇକୋର୍ଟ ବିଚାରପତି ରାୟ ଶୁଣାଇଥିଲେ । ଏହା ପୂର୍ବରୁ ରାହୁଲଙ୍କୁ ଏହି ମାମଲାରେ ଅନ୍ତରୀଣ ସୁରକ୍ଷା ଦେବା ପାଇଁ କୋର୍ଟ ମନା କରିଦେଇଥିଲେ । ମାର୍ଚ୍ଚ ୨୩ ତାରିଖରେ ସୁରତ କୋର୍ଟ ରାହୁଲ ଗାନ୍ଧିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷର ଦଣ୍ଡାଦେଶ ଶୁଣାଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ କଂଗ୍ରେସ ନେତାଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା । କୋର୍ଟ ରାୟ ପରେ ଗତ ୨୪ ମାର୍ଚ୍ଚରେ ସାଂସଦ ପଦ ହରାଇଥିଲେ ରାହୁଲ ଗାନ୍ଧି ।
ତେବେ ୨୦୧୯ରେ ରାହୁଲ ଗାନ୍ଧି ସାଧାରଣ ସାଧାରଣ ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଙ୍ଗିଆ ଉପରେ ବୟାନ ଦେଇଥିଲେ। ଯାହା ପରେ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ ଗୁଜରାଟର ବିଜେପି ବିଧାୟକ ପୁର୍ନେସ ମୋଦି । ରାହୁଲ ନିଜ ବୟାନରେ କରିଥିଲେ ଯେ, ନୀରବ ମୋଦି, ଲଳିତ ମୋଦି ଓ ନରେନ୍ଦ୍ର ମୋଦିଙ୍କ ସରନେମ କମନ କାହିଁକି? ସବୁ ଚୋରଙ୍କ ସରନେମ ମୋଦି କାହିଁକି ହୋଇଥାଏ। ଏହାକୁ ନେଇ ମାନହାନୀ ମାମଲା ରୁଜୁ ହୋଇଥିଲା।





