ବାହାନଗା ରେଳ ଦୁର୍ଘଟଣା; ୫ ଦିନିଆ ସିବିଆଇ ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ୱର,୦୮/୦୭ (ସତ୍ୟପାଠ ବ୍ୟୁରୋ): ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ସିବିଆଇ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଶୁକ୍ରବାର ଗିରଫ ତିନି ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । କୋର୍ଟଙ୍କ ଅନୁମତି ମିଳିବା ପରେ କଡ଼ା ସୁରକ୍ଷାରେ ତିନି ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସିବିଆଇ ଅଫିସକୁ ନିଆଯାଇଛି ।ତେବେ କୋର୍ଟଙ୍କ ନିକଟରେ ଅଭିଯୁକ୍ତଙ୍କୁ ଜେରା ପାଇଁ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା ସିବିଆଇ ।

ଗିରଫ ତିନି ଅଭିଯୁକ୍ତ ହେଲେ ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାନ ଓ ଟେକ୍ନିସିଆନ ପପୁ କୁମାର । ତିନି ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ନଷ୍ଟ କରିବା ଅଭିଯୋଗ ରହିଛି । ଗିରଫ ପରେ ତିନି ଅଭିଯୁକ୍ତଙ୍କୁ କଡ଼ା ସୁରକ୍ଷା ଭିତିରେ କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲା ସିବିଆଇ । ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯିବା ପରେ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ ଗତକାଲି ୩ ଅଭିଯୁକ୍ତଙ୍କୁ ପୁନର୍ବାର ପଚରାଉଚରା କରିବା ପାଇଁ ଡାକିଥିଲା ସିବିଆଇ । ତେବେ ଏହି ତିନିଜଣ ଅଭିଯୁକ୍ତଙ୍କ ନାମରେ ଆଇପିସିର ଧାରା ୩୦୪ ଓ ୨୦୧ ରେ ମାମଲା ରୁଜୁ ହୋଇଛି | ମିଳିଥିବା ସୂଚନା ମୁତାବକ ଅପରାଧିକ ଷଡଯନ୍ତ୍ର ସହ ପ୍ରମାଣ ନଷ୍ଟ କରିବା ଭଳି ସଂଗୀନ ଅଭିଯୋଗ ସିବିଆଇ ଏମାନଙ୍କ ନାମରେ ଆଣିଛି | କୁହାଯାଉଛି ଯେ ଏହି ତିନିଜଣ ଅଭିଯୁକ୍ତ ଜାଣିଥିଲେ ଯେ ସେମାନଙ୍କ କାର୍ଯ୍ୟକଳାପ ଲାଗି ଏଭଳି ଦୁର୍ଘଟଣା ଘଟିବ | ଏହା ସତ୍ତ୍ୱେ ବି ସେମାନେ କାହାକୁ ଜଣାଇନଥିଲେ |

ଉଲ୍ଲେଖ ଥାଉ କି ଦକ୍ଷିଣପୂର୍ବ ରେଳ ସୁରକ୍ଷା କମିସନର (ସିଆର୍‌ଏସ୍‌) ମଧ୍ୟ ତଦନ୍ତ ରିପୋର୍ଟରେ ଏହି କଥା କହିଥିଲେ | ତାଙ୍କ ରିପୋର୍ଟରେ ଦର୍ଶାଯାଇଥିଲା ଯେ ଟ୍ରାକ୍‌ରେ କିଛି ଅସୁବିଧା ନଥିଲା। ସମସ୍ୟାଟି ଥିଲା ସିଗ୍‌ନାଲ୍‌ ଓ ଟେଲି ଯୋଗାଯୋଗ ବିଭାଗରେ। ଷ୍ଟେସନ୍‌ ମ୍ୟାନେଜର, ସିଗନାଲ ଇଞ୍ଜିନିୟର, ଟେକ୍ନିସିଆନ୍ କାହାରି କାହା ସହ ତାଳମେଳ ରହିଲାନି। ସିଗ୍‌ନାଲ ସଙ୍କେତ ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ ତାର, ଉପକରଣ ମରାମତି କ୍ଷେତ୍ରରେ ମଧ୍ୟ ଏକାଧିକ ତ୍ରୁଟି ରହିଥିଲା। ଏହାକୁ ନଜରଅନ୍ଦାଜ କରାଯିବା ଫଳରେ ବାହାନଗା ଭଳି ଏତେ ବଡ଼ ରେଳ ବିପର୍ଯ୍ୟୟ ଘଟିଲା |

ସୁଚାନଯୋଗ୍ୟ ଯେ, ବାହାନଗା ରେଳ ଦୁର୍ଘଟଣାରେ ମୋଟ ୨୯୩ ଜଣଙ୍କ ମୃତ୍ୟୁ ଘଟିଛି।

Related Posts