ଭୁବନେଶ୍ୱର,୦୮/୦୭ (ସତ୍ୟପାଠ ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରୢାମ୍ପ ଭଳି ସ୍ବତନ୍ତ୍ର ବ୍ୟବସ୍ଥା ପ୍ରସଂଗ ସଂପର୍କିତ ମାମଲାରେ ୨୦୨୨ ଫେବ୍ରୁଆରି ୨୮ରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ ନେଇ ଦାୟର ଦ୍ବିତୀୟ ଅଦାଲତ ଅବମାନନା ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରି ନୋଟିସ୍ ଜାରି କରିଛନ୍ତି।
ମାମଲାରେ ହାଇକୋର୍ଟ ଆଜି ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହରାଜା ଦିବ୍ୟସିଂହ ଦେବ, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ନୋଟିସ ପାଇବାର ୭ ଦିନ ଭିତରେ ପ୍ରତିପକ୍ଷମାନେ ଜବାବ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯେଭଳି ଶ୍ରୀଜଗନ୍ନାଥ ମନ୍ଦିର ଭିତରକୁ ସହଜରେ ପ୍ରବେଶ କରି ପାରିବେ ସେ ନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ବ୍ୟବସ୍ଥା କରାଯିବା ଉପରେ ହାଇକୋର୍ଟ ଆଜି ଗୁରୁତ୍ବାରୋପ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ପ୍ରତିପକ୍ଷ ଏପରି ବ୍ୟବସ୍ଥା ଗ୍ରହଣ ପ୍ରସଂଗରେ ଉଦ୍ୟମ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଜଷ୍ଟିସ୍ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଜିତେନ୍ଦ୍ର କୁମାର ବିଶ୍ବାଳଙ୍କ ପକ୍ଷରୁ ଦାୟର ଅଦାଲତ ଅବମାନନା ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ପୁରୀ ଶ୍ରୀମନ୍ଦିର ଭିତରକୁ ଦିବ୍ୟାଙ୍ଗଙ୍କ ପ୍ରବେଶ ପାଇଁ ରାମ୍ପ ଭଳି ସ୍ବତନ୍ତ୍ର ବ୍ୟବସ୍ଥା ପ୍ରସଂଗରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ୨୦୨୨ ଫେବ୍ରୁଆରି ୨୮ରେ ନିର୍ଦ୍ଦେଶ ଦେଇଥିଲେ। ଏହା ଏକ ଜରୁରୀ ପ୍ରସଂଗ ବୋଲି ହାଇକୋର୍ଟ କହିଥିଲେ। ଏହି ପ୍ରସଂଗରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ମିଳିତ ଭାବେ ଆଇନସମ୍ମତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀ ହାଇକୋର୍ଟରେ ଦାଖଲ କରିଥିବା ରିଟ୍ ପିଟିସନ୍କୁ ତାଙ୍କ ଦରଖାସ୍ତ (ରିପ୍ରେଜେଣ୍ଟେସନ୍) ଭାବେ ଗ୍ରହଣ କରି କର୍ତ୍ତୃପକ୍ଷ ବିଚାର କରିବା ସହିତ ଏହି ପ୍ରସଂଗରେ ଏକ ମାସ ଭିତରେ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସହିତ ଆବେଦନକାରୀ ରିଟ୍ ଆବେଦନର କପି ପ୍ରତିପକ୍ଷଙ୍କ ନିକଟରେ ମାର୍ଚ୍ଚ ୭ରେ ଦାଖଲ କରିଥିଲେ। ଏହା ପରେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇ ନଥିଲା।
ଏହାପରେ ଆବେଦନକାରୀ ହାଇକୋର୍ଟରେ ପ୍ରଥମ ଅଦାଲତ ଅବମାନନା ମାମଲା ଦାୟର କରିଥିଲେ। ପ୍ରଥମ ଅଦାଲତ ଅବମାନନା ମାମଲାର ହାଇକୋର୍ଟ ଶୁଣାଣି କରି ପୂର୍ବ ନିର୍ଦ୍ଦେଶ ଏକ ମାସ ଭିତରେ ପାଳନ ପାଇଁ ୨୦୨୨, ଡିସେମ୍ବର ୨୦ରେ ନିର୍ଦ୍ଦେଶ ଦେଇଥିଲେ। ପୂର୍ବର ଦୁଇ ନିର୍ଦ୍ଦେଶ ପାଳନରେ ଅବହେଳା ଅଭିଯୋଗ କରି ଏହି ଦ୍ବିତୀୟ ଅଦାଲତ ଅବମାନନା ମାମଲା ଆବେଦନକାରୀଙ୍କ ପକ୍ଷରୁ ଦାୟର କରାଯାଇଥିଲା।





