ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ଦାବି ଜୋରଦାର ହେବାପରେ ଏବେ ନରମିଛି ପ୍ରଶାସନ। ଆସନ୍ତାକାଲି ଅର୍ଥାତ୍ ଜୁଲାଇ ୨୪ ତାରିଖ ଠାରୁ ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ। କିନ୍ତୁ ଏଥି ପାଇଁ ଭକ୍ତମାନଙ୍କୁ ପରିଚୟପତ୍ର ଦେଖାଇବାକୁ ପଡ଼ିବ। ବିନା ପରିଚୟପତ୍ରରେ ଭକ୍ତମାନେ ପଶ୍ଚିମ ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ ବୋଲି ଆଜି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ନେଇଛନ୍ତି।
ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦ ଯନ୍ତ୍ରଣା ସୀମା ବାହାରକୁ ଚାଲିଗଲାଣି। ଭକ୍ତଙ୍କ ସ୍ବାର୍ଥ ତଥା ଭକ୍ତିଭାବକୁ ଅଣଦେଖା କରି ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଯେଉଁଭଳି ମନମୁଖୀ ଶାସନ ଚଳାଇଛନ୍ତି, ତାହା କେବଳ ଅଗଣିତ ଭକ୍ତଙ୍କୁ ଆନ୍ଦୋଳିତ କରିନି, ନେତା, ସେବାୟତ, ଆଇନଜୀବୀ ଓ ବିଭିନ୍ନ ସଂଗଠନ ମଧ୍ୟ ଏହା ବିରୋଧରେ ତାତିଲେଣି। ଅନ୍ୟପଟେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଭକ୍ତଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଚାରିଦ୍ବାର ଖୋଲିବାକୁ ଦାବି କରିଥିଲେ। ଏ ସମ୍ପର୍କିତ ଦାବିପତ୍ର ଶ୍ରୀ ପଟ୍ଟନାୟକ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଦୀପ ଜେନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଓ ସମସ୍ତ ପରିଚାଳନା କମିଟି ସଦସ୍ୟଙ୍କୁ ପ୍ରଦାନ କରିଥିଲେ। ତେବେ ସୁଦର୍ଶନ ଦାବି କରିଥିଲେ ଯେ ସ୍ଥାନୀୟ ଲୋକଙ୍କ ପାଇଁ ତୁରନ୍ତ ଗୋଟିଏ ଦ୍ୱାର ଖୋଲାଯାଉ।
ଯଦି ଗୋଟିଏ ବି ଦ୍ୱାର ନ ଖୋଲାଯାଏ ତେବେ ଆସନ୍ତାକାଲି ଠାରୁ ପଶ୍ଚିମ ଦ୍ଵାର ଆଗରେ ଧାରଣାରେ ବସିବି ବୋଲି ଚେତାବନୀ ଦେଇଥିଲେ। ତେବେ ଶନିବାର ମଧ୍ୟ ସୁଦର୍ଶନ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଦାବି କରିଥିଲେ।
ସୂଚନାଯୋଗ୍ୟ ଯେ, କୋଭିଡ-୧୯ ପରଠାରୁ ଶ୍ରୀମନ୍ଦିରର ଅନ୍ୟ ୩ ଦ୍ୱାର ବନ୍ଦ ରହିଛି। ଏବେ କେବଳ ସିଂହଦ୍ଵାର ଦେଇ ଭକ୍ତମାନେ ମନ୍ଦିରକୁ ପ୍ରବେଶ କରୁଛନ୍ତି।





