ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଣିପୁର ପ୍ରସଙ୍ଗରେ ସଂସଦରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଓ ମୌସୁମୀ ଅଧିବେଶନରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ଧାରଣାରେ ବସିଛନ୍ତି ରାଜ୍ୟସଭା ବିରୋଧୀ ଦଳ ସାଂସଦ ।ରାଜ୍ୟସଭାରୁ ଆପ ସାଂସଦ ସଞ୍ଜୟ ସିଂହଙ୍କ ସସ୍ପେଣ୍ଡ ପ୍ରତ୍ୟାହାର ସହ ମଣିପୁର ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀଙ୍କୁ ବିବୃତ୍ତି ରଖିବାକୁ ଦାବି କରି ଗତକାଲି (ସୋମବାର) ରାତିରୁ ଧାରଣାରେ ବସିଛନ୍ତି ବିରୋଧୀ ଦଳ ସାଂସଦ । ମଣିପୁର ପ୍ରସଙ୍ଗ ନେଇ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ସହ ଯୁକ୍ତି କରିବା ଓ ତାଙ୍କ କଥା ନଶୁଣିବାରୁ ତାଙ୍କୁ ଆପ ସାଂସଦ ସଞ୍ଜୟ ସିଂହଙ୍କୁ ଗୃହରୁ ନିଲମ୍ବନ କରାଯାଇଥିଲା । ସଞ୍ଜୟ ସିଂହଙ୍କୁ ନିଲମ୍ବନକୁ ବିରୋଧରେ କରି ଗୃହରେ ବିକ୍ଷୋଭ କରିବା ସହ ଧାରଣାରେ ବସିଥିଲେ ବିପକ୍ଷ ।
ରାଜ୍ୟସଭାରୁ ନିଲମ୍ବନ ହୋଇଥିବା ଆପ୍ ସାଂସଦ ସଞ୍ଜୟ ସିଂହ କହିଛନ୍ତି, “ଗତକାଲି ରାତି ସାରା ଆମେ ସଂସଦ ଗାନ୍ଧୀମୂର୍ତ୍ତୀ ତଳେ ବସି ରହିଛୁ । ଆମର ଗୋଟିଏ ଦାବି ପ୍ରଧାନମନ୍ତ୍ରୀଙ୍କୁ ମଣିପୁର ହିଂସା ନେଇ ଉଭୟ ଗୃହରେ ଜବାବ ରଖିବାକୁ ପଡ଼ିବ । ଆମର ସୀମା ରାଜ୍ୟରେ ଏତେ ଦିନ ହେବ ହିଂସାକାଣ୍ଡ ଘଟୁଛି । ତେବେ ପ୍ରଧାନମନ୍ତ୍ରୀ ଚୁପ କିପରି ରହିବେ ? ମଣିପୁର ରାଜ୍ୟମନ୍ତ୍ରୀଙ୍କ ଘର ଜାଳି ଦିଆ ଗଲା । ଛୋଟଛୋଟ ପିଲା, ବୃଦ୍ଧ, ଯବାନଙ୍କୁ ହତ୍ୟା କରାଯାଉଛି । ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି । ଦୁଇ ମହିଳାଙ୍କୁ ନିର୍ବସ୍ତ୍ର କରି ବୁଲାଇବା ଭିଡିଓ ଅତ୍ୟନ୍ତ ଲଜ୍ୟାଜନକ ଥିଲା । ଆମେ ଦାବି କରୁଛୁ ସେ ଗୃହରେ ମଣିପୁର ହିଂସାକାଣ୍ଡ ନେଇ ବିବୃତ୍ତି ରଖନ୍ତୁ । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ମୋତେ ନିଲମ୍ବନ କରିଥିବା ନେଇ ମୁଁ କିଛି କହିବାକୁ ଚାହୁଁନାହିଁ କାରଣ ସେ ରାଜନୈତିକ ବ୍ୟକ୍ତି ନୁହନ୍ତି । ଯେପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗୃହରେ ବିବୃତ୍ତି ନ ରଖିଛନ୍ତି ସେ ଯାଏ ସଂଘର୍ଷ ଜାରି ରହିବ ।”
ପ୍ରକାଶଥାଉ କି, ଗତକାଲି ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଗୃହ ଚଳାଇ ଦେଇନଥିଲେ ବିରୋଧୀ । ମଣିପୁର ହିଂସାକୁ ନେଇ କମ୍ପିଥିଲା ଗୃହ । ମଣିପୁର ପ୍ରସଙ୍ଗରେ ଉଭୟ ଗୃହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବୃତ୍ତି ରଖିବାକୁ ଅଡ଼ି ବସିଥିଲେ । ମଣିପୁର ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ ବେଳେ ରାଜ୍ୟସଭାରୁ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ସସ୍ପେଣ୍ଡ କରାଯାଇଥିଲା । ସଞ୍ଜୟ ସିଂହଙ୍କୁ ବଳକା କାର୍ଯ୍ୟଦିବସରୁ ସସ୍ପେଣ୍ଡ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ।
ଜୁଲାଇ 20 ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ପ୍ରଥମ ଦିନରୁ ବିରୋଧୀ ମୁଖ୍ୟ ମୁଦ୍ଦା କରିଥିବା ମଣିପୁର ହିଂସାକୁ ଗୃହରେ ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି । ଫଳରେ ବାରମ୍ବାର ଗୃହକୁ ମୁଲତବୀ ଘୋଷଣା କରିବାକୁ ପଡ଼ୁଛି । ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହରେ କୌଣସି ଫଳପ୍ରଦ ଆଲୋଚନା ହୋଇପାରୁନାହିଁ ।





