ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବୃଦ୍ଧି ପାଉଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ସେଥିପାଇଁ ଆଜି ପୁଣି ଜଳଭଣ୍ଡାରର ଆଉ ୪ ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ୍ ୧୨ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ତେବେ ବାମ ପାର୍ଶ୍ବର ୮ ଟି ଏବଂ ଡାହାଣ ପାର୍ଶ୍ବର ୪ ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ରବିବାର ଖୋଲିଥିଲା ହୀରାକୁଦ ଜଳଭଣ୍ଡାରର ଗେଟ୍। ୫ ଟି ଗେଟ୍ ଦେଇ ନିଷ୍କାସିତ ହୋଇଥିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ଏହାର ଜଳଭଣ୍ଡାରକୁ ଇନଫ୍ଲୋ ବଢିବାରୁ ସୋମବାର ଆଉ ୩ଟି ଗେଟ୍ ଖୋଲାଯାଇଥିଲା। ଏହାପରେ ଆଜି ପୁଣି ୪ଟି ଗେଟ୍ ଖୋଲାଯାଇଛି।
ସେପଟେ ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୫୧ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୧ ଲକ୍ଷ ୫୮ ହଜାର ଘନଫୁଟ ଜଳ ନିଷ୍କାସନ କରାଯାଉଛି ।ଡ୍ୟାମର ଜଳସ୍ତର ୬୧୪.୦୪ ଫୁଟରେ ପହଞ୍ଚିଛି।





