ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସଂସଦର ମୌସୁମୀ ଅଧିବେଶନର ପ୍ରଥମ ତିନି ଦିନ ବିରୋଧୀଙ୍କ ହଂଗାମା ଯୋଗୁ ଧୋଇଯାଇଥିବା ବେଳେ ଆଜି ଚତୁର୍ଥ ଦିନରେ ବିପକ୍ଷଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଟାକ୍ଷ କରିଛନ୍ତି। ବିରୋଧୀଙ୍କ ନୂଆ ମେଣ୍ଟ ଆଇ.ଏନ.ଡି.ଆଇ.ଏ କୁ ଇଷ୍ଟ ଇଣ୍ଡିଆ କମ୍ପାନୀ ଏବଂ ଇଣ୍ଡିଆନ୍ ମୁଜାହିଦ୍ଦିନ ସହ ତୁଳନା କରିଛନ୍ତି ପ୍ରଧାନମନ୍ତ୍ରୀ।
ସେ କହିଛନ୍ତ ଯେ, ଉଭୟ ନାମରେ ଇଣ୍ଡିଆ ବ୍ୟବହାର କରାଯାଇଛି। ବ୍ରିଟିଶମାନେ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ କରିଥିଲେ ଏବଂ ସେମାନଙ୍କ ପରି ବିରୋଧୀମାନେ ଆଇ.ଏନ.ଡି.ଆଇ.ଏ ମେଣ୍ଟ ଗଠନ କରିଛନ୍ତି। ଆଜି ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗଦେଇ ମଣିପୁର ଘଟଣାକୁ ନେଇ ସଂସଦରେ ବିରୋଧୀ କରୁଥିବା ହଙ୍ଗାମା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି, “ମୁଁ ଆଜିଯାଏଁ ଏପରି ଦିଗହୀନ ବିରୋଧୀ କେବେ ଦେଖିନଥିଲି। ବର୍ତ୍ତମାନ ବିରୋଧୀ ଦଳ ନିରାଶ। ବିରୋଧୀଙ୍କ ମନୋଭାବରୁ ଏପରି ଲାଗୁଛି ସେମାନଙ୍କର ଦୀର୍ଘ ସମୟ ପର୍ଯ୍ୟନ୍ତ କ୍ଷମତାକୁ ଫେରିବାକୁ ଇଚ୍ଛା ନାହିଁ।”
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, “ବିରୋଧୀଙ୍କ କାର୍ଯ୍ୟ ହେଉଛି ବିରୋଧ କରିବା, ସେମାନଙ୍କୁ ତାହା କରିବାକୁ ଦିଅନ୍ତୁ ଏବଂ ଆପଣମାନେ ନିଜ କାର୍ଯ୍ୟରେ ଧ୍ୟାନ ଦେବା ଉଚିତ୍। ୨୦୨୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ ଏବଂ ତୃତୀୟ ପର୍ଯ୍ୟାୟରେ ଭାରତକୁ ତୃତୀୟ ବୃହତ୍ତମ ଅର୍ଥନୀତି କରିବାର ଲକ୍ଷ୍ୟକୁ ନେଇ କାମ କରାଯିବ।”
ତେବେ ମୌସୁମୀ ଅଧିବେଶନ ଆରମ୍ଭ ହେବା ପରଠାରୁ ୪ ଦିନ ହେବ ସଂସଦରେ ମଣିପୁର ହିଂସାକାଣ୍ଡ ନେଇ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ବିରୋଧୀଙ୍କ ମିଳିତ ମେଣ୍ଟ ଇଣ୍ଡିଆନ ନ୍ୟାସନାଲ ଡେଭଲ୍ପମେଣ୍ଡାଲ୍ ଇନକ୍ଲ୍ୟୁସିଭ୍ ଆଲାଏନ୍ସ(ଆଇ.ଏନ.ଡି.ଆଇ.ଏ) ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ବିରୋଧ କରି ପ୍ରଧାନମନ୍ତ୍ରୀ କଡ଼ା ସମାଲୋଚନା କରିଛନ୍ତି।





