ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): 2024 ନିର୍ବାଚନ ପଖାଉଥିବା ବେଳେ ଏବେ ଆରମ୍ଭ ହୋଇଯାଇଛି ମେଣ୍ଟ ରାଜନୀତି | ଦେଶର ବିରୋଧୀମେଣ୍ଟ ଏକଜୁଟ ହେବା ପରେ ଏବେ ଏନଡିଏ ମଧ୍ୟ ତାର ପୂର୍ବ ସହଯୋଗୀଙ୍କୁ ପୁଣି ନିଜ ସପକ୍ଷକୁ ନେବାକୁ ଚେଷ୍ଟା କରିଛି । ୨୬ ଟି ଦଳକୁ ନେଇ ବିରୋଧୀ ‘ଇଣ୍ଡିଆ’ ନାମରେ ମେଣ୍ଟ କରିଥିବା ବେଳେ ୩୮ଟି ଦଳକୁ ନେଇ ବିଜେପି ତାର ପୂର୍ବ ଏନଡିଏ ମେଣ୍ଟକୁ ସକ୍ରିୟ କରିଛି । ଏହାରି ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡାଙ୍କ ଦଳ ଜେଡି(ଏସ) ଏନଡିଏରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ତାଙ୍କ ପୁଅ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀ ବିଜେପି ସହ ସଂପର୍କରେ ରହିଥିଲେ । ହେଲେ ଦେବେ ଗୌଡା ଆଜି ଏସବୁ ଚର୍ଚ୍ଚା ଉପରେ ବିରାମ ଲଗାଇଛନ୍ତି ।
ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଜେଡି (ଏସ୍) ନା ଏନଡିଏ ମେଣ୍ଟ ରେ ସାମିଲ ହେବ ନା ‘ଇଣ୍ଡିଆ ’ ମେଣ୍ଟରେ ସାମିଲ ହେବ, ଦଳ ଆଗାମୀ ଲୋକସଭା ନିର୍ବାଚନ ଏକାକୀ ଲଢିବ ବୋଲି ଦେବେ ଗୌଡା ସ୍ପଷ୍ଟ କରିଛନ୍ତି । ଦେବେ ଗୌଡା ଆହୁରି କହିଛନ୍ତି ଯେ, ଆମକୁ ୪ କି ୫ଟି ଆସନ ମିଳିଲେ ବି ଆମେ ଆଗାମୀ ନିର୍ବାଚନ ଏକାକୀ ଲଢିବୁ । ଏହାସହ ଯେଉଁଠି ଦଳର ସ୍ଥିତି ମଜବୁତ ରହିଛି ଲୋକସଭା ନିର୍ବାଚନରେ ଦଳ କେବଳ ସେହି ସ୍ଥାନରେ ପ୍ରାର୍ଥୀ ଦେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ୨୦୧୯ ଲୋକସଭା ନିର୍ବାଚନରେ ଜେଡିଏସ କେବଳ ଗୋଟିଏ ଲୋକସଭା ଆସନରେ ବିଜୟୀ ହୋଇଥିଲା ।





