ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସରକାର ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନମାନଙ୍କ ଚୟନ ପାଇଁ ଗୁରୁବାର ରାଜ୍ୟସଭାରେ ଏକ ବିଲ୍ ଆଗତ କରିଛନ୍ତି। ଏହି ବିଲ୍ କୁ ଅସାମ୍ବିଧାନିକ କହି ବିରୋଧୀମାନେ ବିରୋଧ କରୁଛନ୍ତି । ଆଉ ଏହି ବିଲ୍କୁ ନେଇ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି।
ମମତା କହିଛନ୍ତି, ଅରାଜକତା ଆଗରେ ବିଜେପି ମୁଣ୍ଡ ନୂଆଁଇଛି। ଚଳିତ ସପ୍ତାହରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ରାଜ୍ୟସଭାରେ ଅଣାଯାଇଥିବା ବିଲ୍ କୁ ଆମେ ବିରୋଧ କରୁଛୁ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ସ୍ଥାନରେ ନିର୍ବାଚନ କମିଶନର ଚୟନରେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସାମିଲ କରିବା ଅଗଣତାନ୍ତ୍ରିକ। ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତି ପ୍ୟାନେଲରୁ ବାଦ୍ ଦେବାର ଯୋଜନା ବିଜେପିର ଅସନ୍ତୋଷକୁ ଦର୍ଶାଉଛି। ଚୟନ କମିଟିରେ ମୁଖ୍ୟ ବିଚାରପତି ରହିବା ଦ୍ବାରା ବିଜେପି ନିଜର ପସନ୍ଦର ନିର୍ବାଚନ କମିଶନଙ୍କୁ ନିଯୁକ୍ତି କରି ପାରିବ ନାହିଁ। ଆଉ ଆଗାମୀ ନିର୍ବାଚନରେ ଭୋଟ୍ ହେରଫେର କରିବାରେ ଦଳ ବିଫଳ ହେବ। ସେଥିପାଇଁ ଏଭଳି ଅସାମ୍ବିଧାନିକ ବିଲ୍ ଅଣାଯାଇଛି । ଭାରତର ନ୍ୟାୟପାଳିକା ପ୍ରତି ଏଭଳି ଅବହେଳା କୁ ନେଇ ଦେଶବାସୀ ପ୍ରଶ୍ନ ଉଠାଇବା ଦରକାର। ଆମେ ଭାରତର ରକ୍ଷା ପାଇଁ ନ୍ୟାୟପାଳିକାକୁ ନିବେଦନ କରୁଛୁ, ‘ମାଇଁ ଲର୍ଡ, ଆମ ଦେଶକୁ ରକ୍ଷା କରନ୍ତୁ!’ ବୋଲି ମମତା କହିଛନ୍ତି |
ତେବେ କେନ୍ଦ୍ର ସରକାର ଆଣିଥିବା ଏହି ବିଲ ଅନୁଯାୟୀ ଦେଶର ମୁଖ୍ୟ ନିର୍ବାଚନ କମିଶନର ଓ ନିର୍ବାଚନ କମିଶନରମାନଙ୍କୁ ଚୟନ ପାଇଁ ଗଠିତ କମିଟିରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ବାଦ ଦିଆଯିବ। ଏହି କମିଟିରେ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମେତ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଓ ଲୋକସଭାର ବିରୋଧୀ ଦଳ ନେତା ରହିଥିଲେ |ହେଲେ ନୂଆ ବିଲ ଅନୁସାରେ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା(ଲୋକସଭା) ଓ ଜଣେ କ୍ୟାବିନେଟ ମନ୍ତ୍ରୀ ହିଁ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଚୟନ କରିବେ । ପରେ ତାଙ୍କର ନାମ ସ୍ବୀକୃତ୍ତି ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ।
ତେବେ ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ଥିବା ଅନୁପ ଚନ୍ଦ୍ର ପାଣ୍ଡେ ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ତେଣୁ ନିର୍ବାଚନ ପୂର୍ବରୁ ଦେଶରେ ନୂଆ ନିର୍ବାଚନ କମିଶନ ନିଯୁକ୍ତ ହେବେ | ଆଉ ଏହି ବିଲ ପାରିତ ହୋଇଗଲେ କେନ୍ଦ୍ର ସରକାର ନିର୍ବାଚନ ପୂର୍ବରୁ ନିଜ ପସନ୍ଦର ବ୍ୟକ୍ତିଙ୍କୁ ନିର୍ଵାଚହ୍ନ କମିଶନ କରି ପାରିବେ ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି | ଏମିତିକି ନିର୍ବାଚନରେ ସ୍ୱଚ୍ଛତା କେତେ ବଜାୟ ରହିବ ତାହା ଏବେ ଚିନ୍ତାର ବିଷୟ ବୋଲି ବିରୋଧୀ କହିବା ସହିତ ଏପରି ବିଲକୁ ସଂସଦରେ ବିରୋଧ କରିବାକୁ ବିରୋଧୀ ଇଣ୍ଡିଆ ମେଣ୍ଟ ନିଷ୍ପତ୍ତି ନେଇଛି । ତେବେ ପୂର୍ବରୁ ଦିଲ୍ଲୀ ସେବା ବିଲ କୁ ବିରୋଧୀଙ୍କ ଶତ ଚେଷ୍ଟା ସତ୍ୱେ କେନ୍ଦ୍ର ସରକାର ସଂସଦରେ ପାରିତ କରାଇ ନେଇଥିବା ବେଳେ ଏବେ ଏହି ନୂଆ ବିବାଦୀୟ ବିଲ୍ ପାରିତ ହେଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା |





