ମୋ ଦଳର ମହାସଚିବ ପ୍ରଦୀପ ପ୍ରଧାନଙ୍କୁ ପୋଲିସର ରାତିଅଧିଆ ଗିରଫଦାରି, ବିଭିନ୍ନ ମହଲରେ ତୀବ୍ର ନିନ୍ଦା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶା ସୂଚନା ଅଧିକାର ଅଭିଯାନର ଆବାହକ ତଥା ମୋ ଦଳର ମହାସଚିବ ପ୍ରଦୀପ ପ୍ରଧାନଙ୍କୁ ଗତକାଲି ରାତିରେ ଭୁବନେଶ୍ୱର ମହିଳା ଥାନା ପୋଲିସ ଗିରଫ କରିଛି। ପ୍ରାୟ ଦେଢ଼ ବର୍ଷ ତଳର ଏକ ପୁରୁଣା ମାମଲାରେ ମହିଳା ଥାନା ପୋଲିସ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରିଛି ବୋଲି କୁହାଯାଉଛି। ତେବେ ଯେଭଳି ଢଙ୍ଗରେ ରାତିଅଧିଆ ପ୍ରଦୀପ ପ୍ରଧନଙ୍କୁ ବିନା କୌଣସି ସୂଚନାରେ ପୋଲିସ ଗିରଫ କରିଛି, ଏହା ପଛରେ ରାଜ୍ୟ ପ୍ରଶାସନର ନିର୍ଦ୍ଦେଶ ରହିଛି ବୋଲି କୁହାଯାଉଛି। କାରଣ, ସୂଚନା ଅଧିକାର କର୍ମୀ ଓ ମୋ ଦଳର ମହାସଚିବ ଭାବରେ ପ୍ରଦୀପ ପ୍ରଧାନ ଗତ କିଛି ଦିନ ହେଲା ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ସଚିବ ତଥା 5T ଇନଚାର୍ଜ ବା ଅବସର ପରେ ନୂଆ ନିଯୁକ୍ତି ପାଇଥିବା 5T ଅଧ୍ୟକ୍ଷଙ୍କ କାର୍ଯ୍ୟକଳାପକୁ କଠୋର ଭାବେ ସମାଲୋଚନା କରୁଥିଲେ। ଏପରିକି ସୂଚନା ଅଧିକାର ଆଇନ ବଳରେ ରାଜ୍ୟରେ ଚାଲିଥିବା ସରକାରୀ ଦୁର୍ନୀତି, ଅତ୍ୟାଚାର ଶୋଷଣ ବିରୋଧରେ ମଧ୍ୟ ନିଜର ଅଭିଯାନ ଜାରି ରଖିଥିଲେ।

ତେବେ ଏହି ଗିରଫଦାରୀକୁ ନେଇ ବହୁ ସମାଜସେବୀ, ବୁଦ୍ଧିଜୀବୀ ଓ ସୂଚନା ଅଧିକାର କର୍ମୀଙ୍କ ଅଭିଯୋଗ ହେଲା ଯେ, ରାଜ୍ୟ ସରକାର ପ୍ରଦୀପ ପ୍ରଧାନଙ୍କ ଦୁର୍ନୀତି ଓ ଅତ୍ୟାଚାର ବିରୋଧୀ ଆନ୍ଦୋଳନ ଓ କାର୍ଯ୍ୟ ପାଇଁ ତାଙ୍କୁ ଅନ୍ୟ ଏକ ମାମଲାରେ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଯେ, ପ୍ରାୟ ଦେଢ଼ ବର୍ଷ ତଳେ ଅଲମ୍ପିଆନ ଦୂତୀ ଚାନ୍ଦଙ୍କ ସମ୍ପର୍କରେ ଫେସବୁକରେ ହୋଇଥିବା ଏକ ବିବାଦୀୟ ପୋଷ୍ଟକୁ ପ୍ରଦୀପ ପ୍ରଧାନ ତାଙ୍କ ଫେସବୁକରେ ସେୟାର କରିଥିଲେ। ଆଉ ଏନେଇ ପ୍ରଦୀପଙ୍କ ବିରୋଧରେ ଦୂତୀଙ୍କ ପକ୍ଷରୁ ଫୌଜଦାରୀ ମାନହାନି ମକଦ୍ଦମା ମଧ୍ୟ ରୁଜୁ କରାଯାଇଥିଲା। ଏ ସମ୍ପର୍କରେ ଆଗୁଆ ଜାମିନ ପାଇଁ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଆଉ ଥାନାରେ ଆତ୍ମସମର୍ପଣ କରି ଜାମିନ ନେବାକୁ ହାଇକୋର୍ଟ କହିଥିଲେ। ଏ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଇତି ମଧ୍ୟରେ ହାଇକୋର୍ଟ ଜାମିନ ମଧ୍ୟ ଦେଇସାରିଛନ୍ତି। ତେବେ ଏ ଘଟଣା ସମ୍ପର୍କରେ ଗତ ଅଗଷ୍ଟ ମାସରେ ଦୂତୀ ଚାନ୍ଦଙ୍କ ପକ୍ଷରୁ ତାଙ୍କ ଓକିଲ ପ୍ରଦୀପ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହେଲେ ଏନେଇ ପ୍ରଦୀପ କିମ୍ବା ତାଙ୍କ ଓକିଲଙ୍କୁ କୌଣସି ସୂଚନା ଦିଆଯାଇନଥିଲା। ତେବେ ସଂପୃକ୍ତ ମାମଲା ଆଧାରରେ ମହିଳା ଥାନା ପୋଲିସ ପ୍ରଦୀପ ପ୍ରଧାନଙ୍କୁ ଗିରଫ କରିଛି।

ଏହାକୁ ନେଇ ବହୁ ସମାଜସେବୀ ଓ ସୂଚନା ଅଧିକାର କର୍ମୀଙ୍କ କହିବା କଥା, ଏଥିରେ ପ୍ରଦୀପ ପ୍ରଧାନଙ୍କ ବିରୋଧରେ ସେଭଳି କିଛି ଠୋସ ପ୍ରମାଣ ନାହିଁ, ତା ସତ୍ତ୍ୱେ ତାଙ୍କୁ କୌଣସି ସୂଚନା ନଦେଇ, ତାଙ୍କ ଓକିଲଙ୍କ ସହ ଯୋଗାଯୋଗ କରିବାକୁ ନଦେଇ ରାତି ଅଧିଆ ଗିରଫ କରିବା ପଛରେ ସରକାରୀ ଆକ୍ରୋଶ ସ୍ପଷ୍ଟ ବାରି ହୋଇ ପଡ଼ୁଛି।

ସୂଚନାଯୋଗ୍ୟ ଯେ, ଗତକାଲି ସକାଳେ ମୋ ଦଳ ପକ୍ଷରୁ ପ୍ରଦୀପ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଥିଲେ ଓ ସେଥିରେ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ତେଣୁ ଏହି ଗିରଫଦାରୀ ଏହାର ଏକ ପ୍ରତିଫଳନ ବୋଲି ମଧ୍ୟ ଅନେକ ମତ ଦେଇଛନ୍ତି।

Related Posts