ନୂଆଦିଲ୍ଲୀ (ସତ୍ୟପାଠ ବ୍ୟୁରୋ): ପଞ୍ଜାବ ରାଜନୀତିରେ ବଡ଼ ରାଜନୈତିକ ହଲଚଲ। ୬ ବର୍ଷର ବ୍ୟବଧାନ ପରେ ପୁଣି ଏକାଠି ହୋଇଛନ୍ତି ବିଜେପି ଓ ଶିରୋମଣି ଅକାଳୀ ଦଳ। ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ଉଭୟ ଦଳ ମିଳିତ ଭାବେ ଲଢ଼ିବେ। ଆଜି ନୂଆଦିଲ୍ଲୀରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ମେଣ୍ଟ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନ ଏବଂ ଶିରୋମଣି ଅକାଳୀ ଦଳର ମୁଖ୍ୟ ସୁଖବୀର ସିଂହ ବାଦଲ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ଅକାଳୀ ଦଳ ଏନଡିଏକୁ ଫେରିଥିବାରୁ ଖୁସି ପ୍ରକାଶ କରିଛନ୍ତି ଅମିତ ଶାହ। ସେ କହିଛନ୍ତି, ଅକାଳୀ ଦଳ ଏନଡିଏର ସବୁଠାରୁ ପୁରୁଣା ସହଯୋଗୀ। ଏହି ମେଣ୍ଟ କେବଳ ରାଜନୈତିକ ସମୀକରଣ ନୁହେଁ, ବରଂ ହିନ୍ଦୁ-ଶିଖ ଭାଇଚାରାର ପ୍ରତୀକ ହେବ।

ଏହାସହ ପଞ୍ଜାବକୁ ନିଶାମୁକ୍ତ କରିବା, ଦୁର୍ନୀତି ରୋକିବା ଏବଂ ରାଜ୍ୟରେ ଯୁବକଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ମେଣ୍ଟର ପ୍ରମୁଖ ଲକ୍ଷ୍ୟ ବୋଲି କହିଛନ୍ତି ଶାହ। ୨୦୨୯ ଡିସେମ୍ବର ୩୧ ସୁଦ୍ଧା ପଞ୍ଜାବକୁ ନିଶାମୁକ୍ତ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଥିବା ମଧ୍ୟ ସେ କହିଛନ୍ତି।

କାହିଁକି ଭାଙ୍ଗିଥିଲା ମେଣ୍ଟ?

ଉଲ୍ଲେଖଯୋଗ୍ୟ, ବିଜେପି ଓ ଅକାଳୀ ଦଳ ଦୀର୍ଘ ୨୪ ବର୍ଷ ଧରି ମେଣ୍ଟରେ ଥିଲେ। କିନ୍ତୁ ୨୦୨୦ ମସିହାରେ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନକୁ ବିରୋଧ କରି ଅକାଳୀ ଦଳ ଏନଡିଏରୁ ଓହରି ଯାଇଥିଲା। ଏପରିକି ହରସିମରତ କୌର ବାଦଲ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ।

ଏହାପରେ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ଉଭୟ ଦଳ ଅଲଗା ଅଲଗା ଲଢ଼ିଥିଲେ। ୧୧୭ଟି ଆସନରୁ ବିଜେପି ମାତ୍ର ୨ଟି ଓ ଅକାଳୀ ଦଳ ୩ଟି ଆସନରେ ବିଜୟୀ ହୋଇଥିଲେ।

ଏବେ ପୁଣି ଉଭୟ ଦଳ ଏକାଠି ହେବା ପରେ ପଞ୍ଜାବରେ ଶାସକ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସ ପାଇଁ ଏହା ଏକ ନୂଆ ରାଜନୈତିକ ଚ୍ୟାଲେଞ୍ଜ ହୋଇପାରେ।

ତେବେ ୨୦୨୭ ନିର୍ବାଚନରେ କେଉଁ ଦଳ କେତେ ଆସନରେ ଲଢ଼ିବେ, ତାହାର ଚୂଡ଼ାନ୍ତ ଆସନ ବଣ୍ଟନ ନେଇ ଆଗକୁ ଆଲୋଚନା ହେବ। ଏହି ମେଣ୍ଟ ପଞ୍ଜାବର ରାଜନୈତିକ ଚିତ୍ର ବଦଳାଇବ ନା ଆମ୍ ଆଦମୀ ପାର୍ଟି ପୁଣି କ୍ଷମତାକୁ ଫେରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।