ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ପାରାଦୀପ ଗସ୍ତ କରି ପାରାଦୀପ ବନ୍ଦର ଦ୍ୱାରା ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେଇଛନ୍ତି। ରାଷ୍ଟ୍ରପତି ସକାଳ ୯ଟା ୪୦ ମିନିଟରେ ବାୟୁସେନା ହେଲିକପ୍ଟର ଯୋଗେ ପାରାଦୀପରେ ପହଞ୍ଚିବା ପରେ ସେଠାରୁ ଯାଇ ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆୟୋଜିତ ଯଜ୍ଞରେ ଆହୁତି ପ୍ରଦାନ କରିବା ସହ ସାଧବ ପୁଅଙ୍କ ହାତକୁ କଳସ ସମର୍ପଣ କରିଥିଲେ।

ପ୍ରଥମେ ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି। ସେ ଅନେକ ଥର କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଥିବା କହିବା ସହ ଆଜି ସେହି କଥା ତାଙ୍କର ମନେ ପଡୁଥିବା କହିଥିଲେ। ସ୍କୁଲରେ ପଢ଼ୁଥିବା ବେଳେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ କାହିଁ ଗଲା ସେ ଓଡ଼ିଆ… ଓ ଆ କା ମା ବୈ କଥାକୁ ସ୍ମରଣ କରି ଓଡ଼ିଆ ଜାତିର ଅସ୍ମିତାକୁ ମନେ ପକାଇଥିଲେ। କାରଗୋ ପରିବହନ କ୍ଷେତ୍ରରେ ପାରାଦୀପ ବନ୍ଦର ସାରା ଦେଶରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବନ୍ଦର କର୍ତ୍ତୃପକ୍ଷ ନିଷ୍ଠା ପାରଦର୍ଶିତା ରଖି ଏହାକୁ ଆହୁରି ଆଗକୁ ନେବା ଆବଶ୍ୟକ ବୋଲି ସେ କହିଥିଲେ। ଅତୀତରେ ସାଧବ ପୁଅମାନେ ଯେପରି ସାତ ସମୁଦ୍ରରେ ଦକ୍ଷତା ଦେଖାଇ ଆସୁଥିଲେ ଆଜିର ଯୁବ ପୀଢି ସେମାନଙ୍କୁ ଅନୁସରଣ କରିବା ସହ କେବଳ ଚାକିରୀ ପଛରେ ନ ଦୌଡ଼ି ନିଜେ ବାଣିଜ୍ୟ ବ୍ୟବସାୟ ତଥା ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟକୁ ମଧ୍ୟ ଚାକିରୀ ଦେବାକୁ ପରାମର୍ଶ ଦେଇଥିଲେ। ପାରାଦୀପଠାରେ ମହାମହିମ ରାଷ୍ଟ୍ରପତିଙ୍କ କରକମଳରେ ମଲ୍ଟି ମଡେଲ ଲଜିଷ୍ଟିକ ପାର୍କର ଶୁଭ ଉଦ୍‌ଘାଟନ କରାଯିବା ସହ ନୂତନ ୱାଟର ରିଜର୍ଭର ଟ୍ରିଟମେଣ୍ଟ ପ୍ଲାଣ୍ଟ ଓ ଭେସେଲ ଟ୍ରାଫିକ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍‌ଫରମେସନ ସେଣ୍ଟରର ଶିଳାନ୍ୟାସ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ଶାନ୍ତନୁ ଠାକୁର, ଶ୍ରୀପଦ ଏଶୋ ନାୟକ, ରାଜ୍ୟ ସରକାରଙ୍କ ମନ୍ତ୍ରୀ ଟୁକୁନି ସାହୁ, ଅତନୁ ସବ୍ୟସଚୀ ନାୟକ, ପାରାଦୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହରନାଧ ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ ରାଷ୍ଟ୍ରପତି ନେହୁର ବଙ୍ଗଳାଠାରେ ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ ସହ ଆଲୋଚନା କରିବା ପରେ ପାରାଦୀପରୁ ବିଦାୟ ନେଇଥିଲେ। ରାଷ୍ଟ୍ରପତିଙ୍କୁ ଅତି ନିକଟରେ ପାଇ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ଜନସାଧାରଣ ବେଶ୍ ଖୁସି ପ୍ରକାଶ କରିଥିଲେ।

Related Posts