ଆଇପିଏଲ୍‌ ୨୦୨୪ ପାଇଁ ଗିଲଙ୍କୁ ଅଧିନାୟକ କଲା ଗୁଜରାଟ ଟାଇଟନ୍ସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପଇଁ ବିଭିନ୍ନ ଟିମଗୁଡିକ ଖେଳାଳିଙ୍କ ରଖିବା ଓ ଛାଡ଼ିବାର ତାଲିକା ପ୍ରକାଶ କରିଛନ୍ତି। ତାଲିକାରୁ ଜଣାପଡ଼ିଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର ହାତ ଛାଡ଼ି ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି। ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ପରେ ଗୁଜରାଟ ଟାଇଟନ୍ସ ଏକ ନୂଆ ଅଧିନାୟକ ବାଛିଛି। ଗୁଜରାଟ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କୁ ଅଧିନାୟକ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଗୁଜରାଟ ଟାଇଟାନ୍ସ ପକ୍ଷରୁ ଅଧିକାରୀକ ଘୋଷଣା ମଧ୍ୟ କରାଯାଇଛି।

ସୂଚନା ମୁତାବକ, ଆଇପିଏଲ୍‌ର ଖେଳାଳି ନିଲାମ ପ୍ରକ୍ରିୟା ଡିସେମ୍ବର ୧୯ ତାରିଖରେ ଦୁବାଇରେ କରାଯିବ। ପ୍ରଥମ ଥର ପାଇଁ ଏହା ବିଦେଶରେ ହେବାକୁ ଯାଉଛି। ଏହା ପୂର୍ବରୁ ରବିବାର ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ସେମାନଙ୍କ ଖେଳାଳିଙ୍କ ରଖିବା ଓ ଛାଡ଼ିବା ପ୍ରକ୍ରିୟାକୁ ଚୂଡ଼ାନ୍ତ କରିଥିଲେ। ପ୍ରଥମେ ଗୁଜରାଟ ଟାଇଟନ୍ସ ଜାରି କରିଥିବା ରିଟେନସନ୍ ତାଲିକାରେ ପାଣ୍ଡ୍ୟାଙ୍କ ନାମ ରହିଥିଲା। କିନ୍ତୁ ମୁମ୍ବାଇ ତାଙ୍କୁ ଗୁଜରାଟଠାରୁ କିଣି ନେଇଥିଲା। ଏବେ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିବା ବଦଳରେ ମୁମ୍ବାଇ, ଗୁଜରାଟକୁ ବିପୁଳ ଟଙ୍କା ଦେବ। ତେବେ ପାଣ୍ଡ୍ୟା ଯିବା ପରେ ଏବେ ଗିଲଙ୍କୁ ଅଧିନାୟକତ୍ବ ମିଳିଛି। ଏହି ଦାୟିତ୍ବ ସେ କିଭଳି ତୁଲାଇବେ ତାହା ଦେଖିବାକୁ ବାକି ରହିଲା।

ଉଲ୍ଲେଖ‌ଯୋଗ୍ୟ, ପାଣ୍ଡ୍ୟାଙ୍କୁ ୨୦୨୨ମସିହାରେ ଗୁଜରାଟ ଟାଇଟନ୍ସର ଅଧିନାୟକ କରାଯାଇଥିଲା। ସେହି ବର୍ଷ ଦଳ ମଧ୍ୟ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଚାମ୍ପିୟନ ହୋଇଥିଲେ।

Related Posts