କାଶୀପୁରରେ ପୋଲିସର ଆତଙ୍କରାଜ ବନ୍ଦ କରି କମ୍ପାନୀ କର୍ମଚାରୀ ଆହତ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ମାନବାଧିକାର ଓ ସାମାଜିକ କର୍ମୀମାନଙ୍କ ନିବେଦନ

ଭୁବନେଶ୍ୱର,୧୮/୦୧: ରାୟଗଡା ଜିଲ୍ଲାର କାଶୀପୁର ଅଂଚଳରେ ପୋଲିସର ଆତଙ୍କରାଜ ବନ୍ଦ କରି ମୈତ୍ରୀ କମ୍ପାନୀ କର୍ମଚାରୀ ଆହତ ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ମାନବାଧିକାର ଓ ସାମାଜିକ କର୍ମକର୍ତ୍ତାମାନେ ଏକ ପ୍ରେସ୍ ବିବୃତି ଜରିଆରେ ନିବେଦନ କରିଛନ୍ତି।

ଏ ସଂପର୍କିରେ ସେମାନେ କହିଛନ୍ତି ଯେ, ଗତ ୧୨ ଜାନୁଆରୀ , ୨୦୨୪ରେ ବେଦାନ୍ତ ଦ୍ୱାରା ନିୟୋଜିତ ଠିକା କମ୍ପାନୀ ମୈତ୍ରୀ ଇନ୍‌ଫ୍ରାଟେକର ଜନୈକ କର୍ମକର୍ତ୍ତାଙ୍କୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସୁଙ୍ଗେର ପଞ୍ଚାୟତର ସରାମବାଇ ଛକ ନିକଟରେ ଆକ୍ରମଣ କରାଯାଇଛି । ଏହାକୁ କେନ୍ଦ୍ର କରି ସିଜିମାଳି ବକ୍‌ସାଇଟ ଖଣି ଖନନକୁ ବିରୋଧ କରୁଥିବା ଜନ ଆନ୍ଦୋଳନର ସ୍ଥାନୀୟ କର୍ମୀମାନଙ୍କ ନାଁରେ କାଶୀପୁର ଥାନାରେ ମାମଲା ଦାୟର କରାଯାଇ ଥିବାର ସୂଚନା ମଧ୍ୟ ପ୍ରକାଶ ପାଇଛି । ଉପରୋକ୍ତ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ, ବିଶେଷ କରି କାଶୀପୁର ବ୍ଳକର ସରାମବାଇ ଛକ ଓ ଥୁଆମୂଳ ରାମପୁର ବ୍ଲକର କେରପାଇ ଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇ ସମଗ୍ର ଅଞ୍ଚଳରେ ଏକ ଆତଙ୍କର ବାତାବରଣ ସୃଷ୍ଟ କରାଯାଇଛି । ଭୟରେ ଲୋକମାନେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି ।

ଏ ସମ୍ପର୍କରେ ରାଜ୍ୟର ମାନବିକ ଅଧିକାର ଓ ସାମାଜିକ କର୍ମୀମାନେ ଉଦ୍‌ବେଗ ପ୍ରକାଶ କରିବା ସହ ସ୍ପଷ୍ଟ ଭାବେ କହିଛନ୍ତି ଯେ ହିଂସାର ସୂତ୍ରଧର ପୋଲିସ, କମ୍ପାନୀ, ଦଲାଲ ବା ସାଧାରଣ ଜନତା ଯିଏ ହେଉନା କାହିଁକି, ତାହା ନିନ୍ଦନୀୟ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗ୍ରହଣଯୋଗ୍ୟ ନୁହେଁ । ଏହା ମଧ୍ୟ ଦାବି କରିଛନ୍ତି ଯେ ଘଟଣାର ସତ୍ୟାସତ୍ୟ ନିରୁପଣ କରିବା ପାଇଁ ଜନ ଆନ୍ଦୋଳନର ପ୍ରତିନିଧିଙ୍କୁ ନେଇ ଏକ ମିଳିତ ନିରପେକ୍ଷ ତଦନ୍ତ କରାଯାଉ ତଥା ଆନ୍ଦୋଳନର କର୍ମୀମାନଙ୍କୁ ଏଥିରେ ଆକ୍ରୋଶମୂଳକ ଭାବେ ସଂଶ୍ଳିଷ୍ଟ କରା ନଯିବା ସହ ପୁଲିସ ବାହିନୀକୁ ପ୍ରତ୍ୟାହାର କରାଯାଇ ଅଞ୍ଚଳରେ ଆତଙ୍କର ବାତାବରଣକୁ ଦୂର କରାଯାଉ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ଫେବୃଆରୀ, ୨୦୨୩ରେ ବେଦାନ୍ତ କମ୍ପାନୀକୁ ସିଜିମାଳି ବକ୍‌ସାଇଟ ଖଣି ଲିଜ ଦେବା ପର ଠାରୁ ପ୍ରଭାବିତ ଗାଁଗୁଡ଼ିକ ଖଣି ଖନନ ପ୍ରକଳ୍ପକୁ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ବିରୋଧ କରିଆସୁଛନ୍ତି । ବେଦାନ୍ତକୁ ଲିଜ ମିଳିଥିବା ବେଳେ ଗାଁମାନଙ୍କରେ ମୈତ୍ରୀର କର୍ମକର୍ତ୍ତାମାନଙ୍କ ଲଗାତାର ଉପସ୍ଥିତି ଲୋକମାନଙ୍କ ପାଇଁ ଏକ ପ୍ରଶ୍ନବାଚୀ ହୋଇ ରହି ଆସିଛି ଯଥା:-

୧) ମାର୍ଚ୍ଚରୁ ଜୁନମାସ ଭିତରେ ଖଣି ଖନନ ସପକ୍ଷରେ ଜନମତ ତିଆରି କରିବା ପାଇଁ ମୈତ୍ରୀ କର୍ମକର୍ତ୍ତାଙ୍କ ଦ୍ୱାରା ସ୍କୁଲ, ଘର, ପାଣିର ବନ୍ଦୋବସ୍ତ କରିଦେବାର ମିଥ୍ୟା ପ୍ରଲୋଭନକୁ ଲୋକମାନେ ପ୍ରଶ୍ନ କରିବା ସହ ଜୁଲାଇ ମାସରେ କାଶୀପୁର ଥାନା ଅଧିକାରୀଙ୍କୁ ଏ ସମ୍ୱନ୍ଧରେ ପଦକ୍ଷେପ ନେବା ପାଇଁ ନିବେଦନ କଲେ ।

୨) ଅଗଷ୍ଟ ୪ ଓ ୫ ତାରିଖ ଦିନ ମୈତ୍ରୀର କର୍ମକର୍ତ୍ତା ସାଗବାରି ଓ ସୁଙ୍ଗେର ଯିବା ବେଳେ ଲୋକମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହ ସଂସ୍ଥାର ଉପସ୍ଥିତିକୁ ପ୍ରଶ୍ନ କରିଥିଲେ । ଅଗଷ୍ଟ ୧୨ତାରିଖ ଦିନ ମୈତ୍ରୀ ସଂସ୍ଥା ପୁଲିସ ସହ ମାଳି ଉପରକୁ ଯିବା ହେତୁ ଲୋକମାନେ ତାହାର ବିରୋଧ କଲେ । ସେ ସମୟରେ ମୈତ୍ରୀର ଅଧିକାରୀମାନେ ଲୋକମାନଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇ ଥିଲେ ଯେ ଲୋକେ ନ ଚାହିଁଲେ ସେମାନେ ଅଞ୍ଚଳକୁ ଆସିବେ ନାହିଁ । କିନ୍ତୁ ମୈତ୍ରୀର କର୍ମକର୍ତ୍ତା ଓଲଟା ଲୋକଙ୍କ ବିରୁଦ୍ଧରେ ଅଭିଯୋଗ କଲେ । ଅଗଷ୍ଟ ୧୬ ଓ ୧୭ରେ ପୁଲିସ ଗାଁରେ ରାତିଅଧିଆ ଚଢ଼ଉ କରି ୨୪ଜଣଙ୍କୁ ଗିରଫ କରିବା ସହ ୯୪ଜଣଙ୍କ ନାଁରେ ଏଫଆଇଆର କଲା । ଲୋକେ ଜେଲରେ ଥିବା ବେଳେ ମୈତ୍ରୀର ଏଜେଣ୍ଟମାନେ ଚାଉଳ, ଆଳୁ ଓ ଡାଲି ସହ ୫୦୦ଟଙ୍କାର ନୋଟ ଦେବା ପାଇଁ ଯେବେ ଉଦ୍ୟମ କଲେ, ଏହା କଟା ଘାରେ ଚୂନ ଦେବା ପରି ଲୋକେ ଅନୁଭବ କଲେ ।

୩. ଡିସେମ୍ୱର ୮, ୨୦୨୩ରେ କୌଣସି ପୂର୍ବ ସୂଚନା ନ ଦେଇ ଜିଲ୍ଲା ପ୍ରଶାସନ ପୁଲିସ ଦଳବଳ ସହ ଗ୍ରାମସଭା/ ପଲ୍ଲୀସଭା ଆୟୋଜନ କରିବାର ଯେଉଁ ଉଦ୍ୟମ କଲେ, ସେହି ଗ୍ରାମସଭାରେ ମୈତ୍ରୀର କର୍ମକର୍ତ୍ତାଙ୍କ ଉପସ୍ଥିତିକୁ ନେଇ ଲୋକ ପ୍ରଶ୍ନ କରିଥିଲେ ।

୪. ନିକଟ ଅତୀତରେ ବି ମୈତ୍ରୀର କର୍ମକର୍ତ୍ତାମାନେ ନାନା ଫନ୍ଦିଫିକରି ଚାଉଳ, ଟଙ୍କା, କମ୍ବଳ ବାଣ୍ଟିବାକୁ ଯାଉଥିବାରୁ ଲୋକେ କହୁଛନ୍ତି, “ଆମେ ଭିକାରୀ ନୁହଁ, ଆମ ଅଧିକାର, ଆମ ସମ୍ପଦ ଛଡ଼ାଇ ନେବାକୁ ଆସି ଆମକୁ ଭିକ ଦେବାକୁ ଆସିଛ । ଏହା ଆମ ସ୍ୱାଭିମାନ ଉପରେ ଆକ୍ରମଣ” । ଲୋକେ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ମୈତ୍ରୀ ତରଫରୁ ଧମକ ମଧ୍ୟ ଦିଆଯାଉଛି ।

ଅତଏବ, ମୈତ୍ରୀ କର୍ମକର୍ତ୍ତାମାନଙ୍କର ଉପରୋକ୍ତ କାର୍ଯ୍ୟକଳାପ ସେମାନଙ୍କ ଦୃଷ୍ଟିରେ ଲୋକଙ୍କ ଏକତା ଓ ଆନ୍ଦୋଳନକୁ ଭଣ୍ଡୁର କରିବା ସହିତ ସେମାନଙ୍କୁ ଉସକାଇବା ପାଇଁ ଉଦ୍ଦିଷ୍ଟ ବୋଲି ସାମାଜିକ ଓ ମାନବାଧିକାର କର୍ମୀମାନେ ମତ ଦେଇଛନ୍ତି। ସେମାନଙ୍କ ବିରୋଧକୁ ଆଳ କରି କମ୍ପାନୀ -ପୋଲିସ୍ ତଥା ସରକାରୀ କଳ ମିଳିତ ଭାବେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଉପରେ ଦମନ କରିବା ପାଇଁ ଏକ ସୁଚିନ୍ତିତ ଚକ୍ରାନ୍ତ ମଧ୍ୟ ହୋଇପାରେ ।

ଉକ୍ତ ନିନ୍ଦନୀୟ ଘଟଣା ବ୍ୟତିରେକେ, ମୂଳ କଥା ହେଉଛି ହଜାର ହଜାର ସ୍ଥାନୀୟ ଆଦିବାସୀ, ଦଳିତ ଓ ମହିଳାଙ୍କ ନିଜର ଭିଟାମାଟି, ଜୀବନଜୀବିକା ଓ ପ୍ରକୃତି-ପରିବେଶକୁ ବଞ୍ଚେଇବାର ଆକାଂକ୍ଷାକୁ ସମ୍ମାନ ଦେଇ ବେଦାନ୍ତର ଖଣି ଲିଜକୁ ବାତିଲ କରାଯାଉ ଏବଂ ଲୋକଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

Related Posts