ଭୁବନେଶ୍ବର,୧୯/୧(ସତ୍ୟପାଠ ବ୍ୟୁରୋ): ଏଣିକି ଡାକ୍ତରମାନେ ଆଣ୍ଟିବାୟୋଟିକ୍ ମେଡିସିନ୍ ଲେଖିଲେ, ତା’ର କାରଣ ଦର୍ଶାଇବେ। କେଉଁଥିପାଇଁ ଆଣ୍ଟିବାୟୋଟିକ୍ ଲେଖୁଛନ୍ତି, ତା’ର କାରଣ ସେମାନେ ପ୍ରେସକ୍ରିପ୍ସନରେ ଉଲ୍ଲେଖ କରିବେ। ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ସମସ୍ତ ମେଡିକାଲ କଲେଜକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟ (DGHS)।
ରୋଗର ଲକ୍ଷଣ, କାରଣ ଓ ଆଣ୍ଟିବାୟୋଟିକ୍ ପ୍ରୟୋଗର ଆବଶ୍ୟକତା କାହିଁକି ରହିଛି ତାହା ଲେଖିବେ ଡାକ୍ତର। ଅନେକ ସମୟରେ ଡାକ୍ତରମାନେ ମନଇଚ୍ଛା ଆଣ୍ଟିବାୟୋଟିକ ଲେଖୁଥିବା ଅଭିଯୋଗ ହୁଏ। ତେଣୁ ବିନା କାରଣରେ ଆଣ୍ଟିବାୟୋଟିକ୍ ବ୍ୟବହାର ଉପରେ ରୋକ୍ ଲଗାଇବାକୁ ଏଭଳି ନିର୍ଦ୍ଦେଶ ନାମା ଜାରି କରାଯାଇଛି।
ସେହିପରି ରୋଗୀ ମଧ୍ୟ ଜାଣିବା ଦରକାର ସବୁ ରୋଗରେ ଆଣ୍ଟିବାୟୋଟିକ୍ ଦରକାର ନାହିଁ। ତେଣୁ ଆଣ୍ଟିବାୟୋଟିକର ଅପବ୍ୟବହାର ନକରିବାକୁ ନିବେଦନ କରାଯାଇଛି। ଆଣ୍ଟିବାୟୋଟିକ ରେଜିଷ୍ଟାନସ ନେଇ ବିଭିନ୍ନ ମିଡିଆରେ ରିପୋର୍ଟ ପ୍ରକାଶ ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଜାଗ ହୋଇଛି।





