ପରଲୋକରେ ପୂର୍ବତନ ସାଂସଦ ଅନାଦି ସାହୁ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ ): ପରଲୋକରେ ପୂର୍ବତନ ସାଂସଦ ତଥା ଅବସରପ୍ରାପ୍ତ ପୁଲିସ ଅଧିକାରୀ ଅନାଦି ଚରଣ ସାହୁ | ୧୯୯୯ ମସିହାରେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ଟିକେଟରେ ନିର୍ବାଚିତ ହୋଇଥିଲେ ଅନାଦି | କଟକର ସିଡିଏ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି |

ସୂଚନାଯୋଗ୍ୟ ଯେ, ୧୯୯୬ ସାଧାରଣ ନିର୍ବାଚନରେ ପ୍ରଥମ ବରିଷ୍ଠ ଆଇପିଏସ ଅଫିସର ଭାବେ ଅନାଦି ସାହୁ କଟକ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ପୁଲିସ ବିଭାଗର ଆଇଜି ପଦବିରେ କାର୍ଯ୍ୟ କରୁଥିବା ଶ୍ରୀ ସାହୁ ସେହି ବର୍ଷ ଚାକିରିରୁ ଇସ୍ତଫା ଦେଇ କଂଗ୍ରେସ ପ୍ରାର୍ଥୀ ଭାବେ କଟକ ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ସେହି ନିର୍ବାଚନରେ ଶ୍ରୀ ସାହୁ ବିଜୁ ପଟ୍ଟନାୟକଙ୍କ ବିରୋଧରେ ପ୍ରତିଦ୍ବନ୍ଦ୍ବିତା କରି ପରାସ୍ତ ହୋଇଥିଲେ।

ବିଜୁ ପଟ୍ଟନାୟକ ଜନତା ଦଳ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି କଟକ ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ। ବିଜୁ ବାବୁ ସେହି ନିର୍ବାଚନରେ ୩ ଲକ୍ଷ ୪୪ ହଜାର ୯୨ ଖଣ୍ଡ ଭୋଟ ପାଇଥିବା ବେଳେ ଅନାଦି ସାହୁ ପାଇଥିଲେ ୨ ଲକ୍ଷ ୮୬ ହଜାର ୮୨୬ ଖଣ୍ଡ ଭୋଟ। ୫୭ ହଜାର ୮୦୭ ଖଣ୍ଡ ଭୋଟରେ ଅନାଦି ସାହୁ ବିଜୁ ବାବୁଙ୍କଠାରୁ ପରାସ୍ତ ହୋଇଥିଲେ। କିନ୍ତୁ ବିଜୁ ବାବୁ ଆସ୍କା ଲୋକସଭା ଆସନରୁ ବି ବିଜୟୀ ହୋଇଥିବାରୁ କଟକ ଲୋକସଭା ଆସନରୁ ଇସ୍ତଫା ଦେଇଥିଲେ। ବିଜୁ ବାବୁ ଇସ୍ତଫା ଦେବା ପରେ ପୁଣି କଟକ ଲୋକସଭା ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ଅନାଦି ସାହୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିବା ବେଳେ ତାଙ୍କ ବିରୋଧରେ ଜନତା ଦଳର ପ୍ରାର୍ଥୀ ହୋଇଥିଲେ ବର୍ତ୍ତମାନର ସାଂସଦ ଭର୍ତ୍ତୃହରି ମହତାବ। ୧୯୯୬ ଉପନିର୍ବାଚନରେ ଅନାଦି ସାହୁ ୨ ଲକ୍ଷ ୬୯ ହଜାର ୭୭୩ ଖଣ୍ଡ ଭୋଟ ପାଇଥିବା ବେଳେ ଭର୍ତ୍ତୃହରି ପାଇଥିଲେ ୨ ଲକ୍ଷ ୪୨ ହଜାର ୧୬୬ ଖଣ୍ଡ ଭୋଟ। ୨୭ ହଜାର ୬୦୭ ଖଣ୍ଡ ଭୋଟରେ ଭର୍ତ୍ତୃହରିଙ୍କୁ ପରାସ୍ତ କରି ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନାଦି ସାହୁ।

ପରେ ୧୯୯୯ ମସିହା ସାଧାରଣ ନିର୍ବାଚନରେ ସେ ବ୍ରହ୍ମପୁରରୁ ବିଜେପିର ସାଂସଦ ମଧ୍ୟ ହୋଇ ଥିଲେ। ତେବେ କିଛି ବର୍ଷ ହେଲା ଅନାଦି ସାହୁ ରାଜନୀତ ଦୂରେଇ ଯାଇଥିଲେ। ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଛି। ସେ ବିଭିନ୍ନ ପୁସ୍ତକ ଲେଖିଛନ୍ତି। ଅନାଦି ସାହୁଙ୍କ ଶେଷ ଦର୍ଶନ କରିବା ପାଇଁ ସିଡିଏ ସ୍ଥିତ ବାସଭବନରେ ନେତା ଓ ଶୁଭେଚ୍ଛୁଙ୍କ ଭିଡ଼ ଜମିଛି। ଅନାଦି ସାହୁଙ୍କ ଶେଷକୃତ୍ୟ କଟକର ସତୀ ଚଉରାରେ ହେବ ବୋଲି ସୂଚନା ମିଳିଛି।

Related Posts