ଭୁବନେଶ୍ବର,୨୦/୧(ସତ୍ୟପାଠ ବ୍ୟୁରୋ): ଅବକାରୀ ନୀତି ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ଆମ ଆଦମୀ ପାର୍ଟି ସାଂସଦ ସଞ୍ଜାୟ ସିଂହଙ୍କୁ ଝଟ୍କା। ବଢ଼ିଲା ଉଭୟଙ୍କ ନ୍ୟାୟିକ ହେପାଜତ ଅବଧି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ସଞ୍ଜୟ ଓ ମନୀଷଙ୍କ ନ୍ୟାୟିକ ହେପାଜତ ମିଆଦକୁ ଆସନ୍ତା ଫେବ୍ରୁଆରୀ ୩ ତାରିଖ ଯାଏଁ ବୃଦ୍ଧି କରିଛନ୍ତି। ତେଣୁ ଉଭୟ ଫେବ୍ରୁଆରୀ ଯାଏଁ ଜେଲ୍ରେ ରହିବେ।
ଅବକାରୀ ନୀତି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମନୀଷ ସିସୋଦିଆ ଓ ସଞ୍ଜୟ ସିଂହଙ୍କୁ ଆଜି କୋର୍ଟରେ ଭିଡିଓ କନ୍ଫରେନ୍ସିଂ ଜାରିଆରେ ହାଜର କରାଯାଇଥିଲା। କୋର୍ଟ ଉଭୟଙ୍କ ମାମଲାର ଶୁଣାଣି କରି ଉଭୟଙ୍କ ହେପାଜତ ଅବଧି ବୃଦ୍ଧି କରିଛନ୍ତି।
ଗତବର୍ଷ ଫେବ୍ରୁଆରୀ ୨୬ ତାରିଖରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ତଥା ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କିରଥିଲା। ସେବେ ଠାରୁ ସେ ଜେଲରେ ଅଛନ୍ତି। ସେହିପରି ଗତବର୍ଷ ଅକ୍ଟୋବର ୪ ତାରିଖରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଥିଲା।
ତେବେ ଗିରଫ ପୂର୍ବରୁ ଇଡି ବିନା କୌଣସି ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରିଥିବା ସଞ୍ଜୟ ସିଂହ କହିଥିଲେ। ଆଦାନୀ ଗ୍ରୁପ କରିଥିବା ଦୁର୍ନୀତିର ଖୁଲାସା କରିବା ପରେ ଇଡିରେ ଅଭିଯୋଗ କରିଥିଲି। କିନ୍ତୁ ଇଡି ଆଦାନୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କଲା ନାହିଁ ବୋଲି ଆପ୍ ସାଂସଦ ସଞ୍ଜୟ ସିଂହ କହିଥିଲେ।





