କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା; ଧର୍ମେନ୍ଦ୍ର-ବବି ମୁହାଁମୁହିଁ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଚୟନ ପରୀକ୍ଷାରେ ଦୁର୍ନୀତି ଅଭିଯୋଗ ପରେ ପରୀକ୍ଷା ଫଳ ଉପରେ ଅନ୍ତରୀଣ ରୋକ୍ ଲଗାଇଛନ୍ତି ହାଇକୋର୍ଟ। ଏପଟେ ଏହି ପ୍ରସଙ୍ଗରେ ଆରମ୍ଭ ହୋଇଛି ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ।

ଧର୍ମେନ୍ଦ୍ର ଗତକାଲି ବିଜେପି ମହିଳା ମୋର୍ଚ୍ଚାର ‘ଶକ୍ତିବନ୍ଦନ’ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଓଡ଼ିଶା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ରାଜ୍ୟ ସରକାର ଖେଳୁଛନ୍ତି । ଓଡ଼ିଆ ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଇଥିବା ମାହାଲମାଣ୍ଡାଙ୍କୁ ଜବାବ ଦିଅନ୍ତୁ । ଗଣମାଧ୍ୟମରେ ୨୦ହଜାର ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଖବର ପ୍ରକାଶ ପାଇଛି । ଏଏସଓ ପରୀକ୍ଷା ପରେ ନିୟମ ବଦଳିଗଲା । ତା’ହେଲେ ଯେଉଁ ରାଜ୍ୟ ସରକାର ନିଜ ପାଖରେ ଟେକ୍ନୋଲୋଜି ଓ ଅଭିଜ୍ଞତା ଅଛି ବୋଲି ଦାବି କରୁଛି ପିଲାଙ୍କ ଭବିଷ୍ୟତକୁ ନେଇ କ’ଣ କରୁଛନ୍ତି ବୋଲି ସେ ଜାଣିବାକୁ ଚାହିଁଛନ୍ତି । ଓଡ଼ିଆ ପିଲାଙ୍କ ଭବିଷ୍ୟତ ମାହାଲମାଣ୍ଡାମାନଙ୍କ ସ୍ବପ୍ନ ଭିତରେ ସୀମିତ ହୋଇଯାଉଛି ବୋଲି ଧର୍ମେନ୍ଦ୍ର କହିଥିଲେ |

ଅନ୍ୟପଟେ ଏଭଳି ଶାଣିତ ସମାଲୋଚନା ପରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛି ବିଜେଡି । ବିଜେଡି ସଂଗଠନ ସମ୍ପାଦକ ସୋସିଆଲ ମିଡ଼ିଆରେ ଧର୍ମେନ୍ଦ୍ରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା କେନ୍ଦ୍ରୀୟ ସଂସ୍ଥା ଇଡିସିଆଇଏଲ୍ ଜରିଆରେ ହୋଇଛି । ଯାହା କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନରେ । ଏହି ସଂସ୍ଥା ‘ମିନି ରତ୍ନ’ କାଟାଗୋରୀରେ ଆସୁଛି । ତା’ହେଲେ କ’ଣ ଆପଣ କହିବାକୁ ଛାହୁଁଛନ୍ତି ଯେ, ଆପଣଙ୍କ ନିଜ ସଂସ୍ଥା ନିଯୁକ୍ତି ପ୍ରକ୍ରିୟାରେ ଘପଲାତି କରିଛି । ଆପଣ ଜାଣିନାହାନ୍ତି ନା ଜାଣିକି ନାଟକ କରୁଛନ୍ତି । ଆପଣଙ୍କ ସଂସ୍ଥା ଇଡିସିଆଇଏଲ୍ କେନ୍ଦ୍ରୀୟ ବିଦ୍ୟାଳୟ, ଜବାହାର ନବୋଦୟ ବିଦ୍ୟାଳୟ, ଏମ୍ସ, ଭାରତୀୟ ସେନା ଓ ଅନ୍ୟ ସଂସ୍ଥା ପାଇଁ ହଜାର ହଜାର ସଂଖ୍ୟାରେ ନିଯୁକ୍ତି କରିଥାଏ । ସେଠି ମଧ୍ୟ କ’ଣ ଅନିୟମିତତା ହୋଇଥିବା ଆପଣ କହିବାକୁ ଚାହୁଁଛନ୍ତି । ଆପଣଙ୍କ ନିଜ ସଂସ୍ଥା ଏଠାରେ ଶିକ୍ଷକ ନିଯୁକ୍ତି କରିଛି । ହେଲେ ଆପଣ କିଛି ନବୁଝି ଡାହା ମିଛ ଓ ନିରାଧାର କଥା କହିବାରେ ଆପଣଙ୍କ ଅହେତୁକ ଆଗ୍ରହ ଦେଖି ଲୋକ ହସିବା ଆରମ୍ଭ କଲେଣି । ଲାଗୁଛି, ମାହାଲ ମାଣ୍ଡାକୁ ସୃଷ୍ଟି କରିବାରେ ଆପଣଙ୍କର ହିଁ କିଛି ଭୂମିକା ରହିଛି ବୋଲି ବବି କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ୨୦ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତି ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବାରେ ଲାଗିଛି ବିରୋଧୀ ଦଳ । ହାଇକୋର୍ଟ ମଧ୍ୟ ଏହି ନିଯୁକ୍ତି ପ୍ରକ୍ରିୟା ସଂକ୍ରାନ୍ତ ଏକ ମାମଲାର ରାୟ ଦେଇ ପରୀକ୍ଷା ଫଳ ପ୍ରକାଶନ ଉପରେ ଅନ୍ତରୀଣ ରୋକ୍ ଲଗାଇଛନ୍ତି ।

Related Posts