ଭୁବନେଶ୍ୱର,୨୨/୧(ସତ୍ୟପାଠ ବ୍ୟୁରୋ): ଆଜି ରାମଲାଲା ପ୍ରାଣପ୍ରତୀଷ୍ଠା। ଶ୍ରୀରାମ ଧ୍ୱନିରେ କମ୍ପୁଛି ଅଯୋଧ୍ୟା । ଆଜି ସକାଳ ସାଢେ ୫ଟାରୁ ମନ୍ଦିର ଖୋଲାଯାଇଥିବା ବେଳେ ୮ଟାରୁ ବିଭିନ୍ନ ପୂଜାପାଠ, ରୀତିନୀତି ଆରମ୍ଭ ହୋଇଛି ହେବା ସହ ସକାଳ ୧୦ଟାରୁ ମଙ୍ଗଳଧ୍ୱନୀ ହୋଇଛି। ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ୫୦ରୁ ଅଧିକ ମନୋରମ ବାଦ୍ୟଯନ୍ତ୍ରରେ କମ୍ପିବ ମନ୍ଦିର ପରିସର ।

ଆଜି ଅପରାହ୍ନ ୧୨ଟା ୧୫ରୁ ୧୨ଟା ୪୫ ଯାଏଁ ଅର୍ଥାତ୍ ୩୦ ମିନିଟ୍ ରହିଛି ମାହେନ୍ଦ୍ର ବେଳା। ଆଉ ମାତ୍ର ୮୪ ସେକେଣ୍ଡ ରହିବ ଅଭିଜିତ ମୁହୂର୍ତ୍ତ। ତେଣୁ ଏହି ଦୁର୍ଲଭ ମୁହୂର୍ତ୍ତ ଅର୍ଥାତ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ୍ ୩୨ ସେକେଣ୍ଡ ଭିତରେ ରାମ ଲଲାଙ୍କ ପ୍ରାଣପ୍ରତିଷ୍ଠା କରାଯିବ।

୧୦ଟା ୩୦ ସୁଦ୍ଧା ଅତିଥିମାନେ ମନ୍ଦିରରେ ପ୍ରବେଶ କରିବେ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି।୨ହଜାର କ୍ୱିଣ୍ଟାଲ ଫୁଲରେ ସଜେଇ ହୋଇଛି ଅଯୋଧ୍ୟା ସହର। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସରଜୁ ନଦୀରୁ ପାଣି ଅଣାଯାଇ ଭବ୍ୟ ମନ୍ଦିରକୁ ଶୁଦ୍ଧ କରାଯିବ । ରାମଲଲାଙ୍କ ଲାଗି ୫୬ ଭୋଗ ଲଗାଯିବ । ଏହାପୂର୍ବରୁ ଗତକାଲି ମନ୍ଦିର ଗର୍ଭଗୃହରେ ପ୍ରତିଷ୍ଠିତ ରାମଲଲାଙ୍କ ମୂର୍ତିକୁ ୧୧୪ କଳସ ଔଷଧୀୟ ଜଳରେ ସ୍ନାନ କରାଯାଇଥିଲା ।