ଭୁବନେଶ୍ୱର,୨୩/୧(ସତ୍ୟପାଠ ବ୍ୟୁରୋ): କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତା ପ୍ରସଙ୍ଗରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ବାସଭବନ ଘେରିଲା ଛାତ୍ର କଂଗ୍ରେସ । ଆଜି ଶତାଧିକ ଛାତ୍ର କଂଗ୍ରେସ ନେତା ଏକାଠି ହୋଇ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଡକୁ ଆସିଥିଲେ । ଏହି ସମୟରେ ଉପସ୍ଥିତ ଥିବା ପୋଲିସ ସେମାନଙ୍କୁ ଅଟକାଇଥିଲା । କିଛି ସମୟ ପାଇଁ ପୋଲିସ ସହ ମୁହାଁମୁହାଁ ହୋଇଥିଲେ ଛାତ୍ର କଂଗ୍ରେସ ନେତା । ଏହା ପରେ ଛାତ୍ର କଂଗ୍ରେସ କର୍ମୀମାନେ ମନ୍ତ୍ରୀଙ୍କ ଘରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ ।
ଏହା ସହ ରାସ୍ତାରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରି ନାରାବାଜି ଦେଇଥିଲେ । ପରେ ଆନ୍ଦୋଳନ କରୁଥିବା ଛାତ୍ର କଂଗ୍ରେସ ନେତାଙ୍କୁ ଉଠାଇ ନେଇଥିଲା ପୋଲିସ । ତେବେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତା ଅଭିଯୋଗ ପରେ ଜୋର ଧରିଛି ରାଜନୀତି । କନିଷ୍ଠ ଶିକ୍ଷକ ଆଶାୟୀମାନଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଠକୁଥିବା କହିଛନ୍ତି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ | ଏପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ରାଜ୍ୟର ଗଣଶିକ୍ଷାମନ୍ତ୍ରୀ ମୁହଁ ଖୋଲିନଥିବା ବେଳେ ତାଙ୍କର ଇସ୍ତଫା ଦାବି କରିଛି ଛାତ୍ର କଂଗ୍ରେସ |





