ଭୁବନେଶ୍ୱର,୨୫/୧(ସତ୍ୟପାଠ ବ୍ୟୁରୋ): ପୁଣି ବିଜେପିକୁ ଫେରିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର । ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ବୁଧବାର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଉପସ୍ଥିତିରେ ଶେଟ୍ଟାର ବିଜେପିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିରୂପା, ମିଡିଆ ବିଭାଗର ମୁଖ୍ୟ ପ୍ରବକ୍ତା ଅନିଲ ବେଲୁନୀ ପ୍ରମୁଖ ଉପସ୍ଥିତ ଥିଲେ ।
ହୁବଲୀ ଧାରବାଡ ମଧ୍ୟ ଆସନରୁ ୬ ଥର ବିଧାୟକ ହୋଇଥିବା ୬୭ ବର୍ଷିୟ ଶେଟ୍ଟାର ଗତ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗ ଦେଇଥିଲେ । ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ତାଙ୍କୁ ପ୍ରାର୍ଥୀ ନକରିବା ସ୍ପଷ୍ଟ ହେବା ପରେ ସେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ ।
ବିଜେପିରେ ଯୋଗଦେବା ପରେ ଜଗଦୀଶ କହିଛନ୍ତି, ମୁଁ ଏହି ବିଶ୍ୱାସରେ ଦଳରେ ଯୋଗଦେଉଛି କି, “ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାକୁ ପଡିବ।”





