ଭୁବନେଶ୍ୱର,୭/୨(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପାଇଁ ବଢିଲା ଅଡ଼ୁଆ। କେଜରିୱାଲଙ୍କୁ କୋର୍ଟଙ୍କ ସମନ। ଇଡିର ଅଭିଯୋଗ ପରେ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ସମନ ଜାରି କରିଛନ୍ତି। ଫେବ୍ରୁଆରୀ ୧୭ରେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।
ନୂଆ ଅବକାରୀ ନୀତି ସହ ଜଡିତ ତଥାକଥିତ ଟଙ୍କା ହେରଫେର ଅଭିଯୋଗରେ ପଚରାଉଚରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିଓ୍ୱାଲଙ୍କୁ ୫ ଥର ସମନ କରିଥିଲା। ତାଙ୍କୁ କାର୍ଯ୍ୟାଳୟରେ ହାଜର ହେବାକୁ ସମନ ଯାଇଥିଲା। ତେବେ ଇଡି ସମନର ଥରଟିଏ ବି ଉତ୍ତର ଦେଇନଥିଲେ କେଜ୍ରିୱାଲ। ୫ ଥର ସମନ ପଠାଇବା ପରେ ଇଡି କୋର୍ଟର ଦ୍ୱାରସ୍ଥ ହୋଇଥିଲା। ଏହି ମାମଲାର ଶୁଣାଣି କରି ଆଜି କୋର୍ଟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଆସନ୍ତା ୧୭ ତାରିଖରେ ହାଜର ହେବାକୁ ନୋଟିସ ଜାରି କରିଛନ୍ତି।
ସୂଚନାଯୋଗ୍ୟ, ଇଡି ସମନ ପଠାଇବା ପୂର୍ବରୁ ସିବିଆଇ ୧୬ ଏପ୍ରିଲ ୨୦୨୩ରେ କେଜ୍ରିୱାଲଙ୍କୁ ଅବକାରୀ ନୀତିରେ ଦୁର୍ନୀତି ମାମଲାରେ ପଚରାଉଚରା କରିଥିଲା। ସେହି ସମୟରେ ତାଙ୍କୁ ସିବିଆଇ ୫୪ଟି ପ୍ରଶ୍ନ ପଚାରିଥିଲା। ଦିଲ୍ଲୀ ସରକାରଙ୍କ ୨୦୨୧-୨୨ର ଅବକାରୀ ନୀତିରେ କିଛି ମଦ ବେପାରୀଙ୍କୁ ଲାଇସେନ୍ସ ଦେବା ପାଇଁ କେତେକ ବ୍ୟବସାୟୀ ଲାଭ ଉଠାଇଥିଲେ।ଏଥିପାଇଁ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ଆମ୍ ଆଦମୀ ପାର୍ଟି କିନ୍ତୁ ଏହି ଅଭିଯୋଗକୁ ବାରମ୍ବାର ଖଣ୍ଡନ କରିଆସିଛି।





