ବିଜେପିରେ ମିଶିବେ ବରିଷ୍ଠ କଂଗ୍ରେସ ନେତା କମଲ ନାଥ ଓ ପୁଅ ନକୁଲ ନାଥ!

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ଖୁବଶୀଘ୍ର କଂଗ୍ରେସ ଛାଡିପାରନ୍ତି । ଉଭୟ କମଲନାଥ ଓ ତାଙ୍କ ପୁଅ ତଥା ମଧ୍ୟପ୍ରଦେଶର ଛିନ୍ଦୱାଡାର ସାଂସଦ ନକୁଲନାଥ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇପାରନ୍ତି | ଏନେଇ ଜାତୀୟ ଗଣମାଧ୍ୟମ ଗୁଡିକରେ ଖବର ପ୍ରକାଶ ପାଇବା ପରେ ମଧ୍ୟପ୍ରଦେଶ ରାଜନୀତି ସରଗରମ ହୋଇଛି |

ଏସବୁ ଚର୍ଚ୍ଚା ମଧ୍ୟରେ କମଲନାଥଙ୍କ ପୁଅ ନକୁଲନାଥ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଗୁଡ଼ିକରୁ କଂଗ୍ରେସ ଲେଖା ହଟାଇଦେଇଛନ୍ତି । ସେପଟେ ନିଜର ଛିନ୍ଦୱାଡା ଗସ୍ତ ବାତିଲ କରି କମଲନାଥ ଏବେ ଦିଲ୍ଲୀଯାତ୍ରା କରିଛନ୍ତି । ଯାହା ସେ ବିଜେପି ଯିବା ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି ।

ସେପଟେ ମଧ୍ୟପ୍ରଦେଶ ବିଜେପିର ଅଧ୍ୟକ୍ଷ ବିଡି ଶର୍ମା ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, କମଲନାଥ ଓ ତାଙ୍କ ପୁଅ ଯଦି ବିଜେପିରେ ମିଶିବାକୁ ଚାହାଁନ୍ତି ତେବେ ତାଙ୍କ ପାଇଁ ବିଜେପିର ଦ୍ୱାର ସର୍ବଦା ଖୋଲା ରହିଛି । ସେପଟେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି |

କମଲନାଥ ହେଉଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ | ଏଥିସହିତ ଛିନ୍ଦୱାଡା ଆସନରୁ ସେ ୯ ଥର କଂଗ୍ରେସର ସାଂସଦ ରହି ସାରିଛନ୍ତି | ତେବେ କଂଗ୍ରେସ ଗତ ବିଧାନସଭା ନିର୍ବାଚନ କମଲନାଥଙ୍କ ନେତୃତ୍ୱରେ ଲଢ଼ିଥିଲେ ମଧ୍ୟ ଦଳ ପରାଜିତ ହୋଇଥିଲା | ଆଗକୁ 2024 ସାଧାରଣ ନିର୍ବାଚନ ଥିବାବେଳେ ଯଦି କମଲନାଥ ଓ ତାଙ୍କ ପୁଅ ବିଜେପିରେ ସାମିଲ ହୁଅନ୍ତି ତେବେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିବ ବୋଲି କୁହାଯାଉଛି |

Related Posts