ଭୁବନେଶ୍ୱର,୨୭/୨(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ପୁଣିଥରେ ସମନ ଜାରି କରିଛି ଇଡି । ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ଇଡି ଅଷ୍ଟମ ଥର ସମନ ଜାରି କରି ମାର୍ଚ୍ଚ ୪ରେ ପଚରାଉଚରା ପାଇଁ ହାଜର ହେବାକୁ କହିଛି । ସୂଚନାଥାଉକି, ଏହି ଘୋଟାଲା ମାମଲାରେ ସାତ ଥର ସମନ ନୋଟିସ୍ କରାଯାଇଥିଲେବି କେଜ୍ରିଓ୍ବାଲ ଏପର୍ଯ୍ୟନ୍ତ ଥରେବି ହାଜର ହୋଇନାହାଁନ୍ତି। ଏହା ପୂର୍ବରୁ, ଫେବ୍ରୁଆରୀ ୨୨ରେ ୭ମ ସମନ ପଠାଇ ଫେବ୍ରୁଆରୀ ୨୬ରେ ହାରଜ ହେବାକୁ କହିଥିଲା।
ସେପଟେ ଏହାକୁ ନେଇ ଆପ୍ କହିଛି ଇଡି ଏଭଳି ବାରମ୍ବାର ସମନ ନୋଟିସ ନପଠାଇ କୋର୍ଟଙ୍କ ଆଦେଶକୁ ଅପେକ୍ଷା କରିବା ଦରକାର। ଆପ୍ କହିଛି ମାମଲା ଅଦାଲତରେ ଚାଲିଛି। କେଜ୍ରିଓ୍ବାଲ ମଧ୍ୟ ଏହି ସମନକୁ ଅବୈଧ ବୋଲି କହିଛନ୍ତି । ଏମିତିକି ସେ ଇଡିକୁ ମଧ୍ୟ ଚିଠି ଲେଖି ସମନ ଫେରାଇନେବାକୁ ଅପିଲ୍ କରିଛନ୍ତି। ସୂତ୍ର ଅନୁଯାୟୀ ଏହି ମାମଲାରେ ଆଗାମୀ ଶୁଣାଣି ମାର୍ଚ୍ଚ ୧୬ରେ ହେବ।
ଉଲ୍ଲେଖଯୋଗ୍ୟ, ଏହି ଘୋଟାଲା ମାମଲାରେ ଇଡି, କେଜ୍ରିଓ୍ବାଲଙ୍କୁ ଫେବ୍ରୁଆରୀ ୨୨, ଫେବ୍ରୁଆରୀ ୨, ଜାନୁଆରୀ ୧୭, ଜାନୁଆରୀ ୩, ଡିସେମ୍ବର ୨୧ ଏବଂ ନଭେମ୍ବର ୨ରେ ସମନ ପଠାଇଥିଲା। ପଞ୍ଚମ ସମନ ପରେ ଯେତେବେଳେ କେଜ୍ରିଓ୍ବାଲ ଇଡିରେ ହାଜର ହୋଇନଥିଲେ ସେତେବେଳେ ଇଡି ରାଉଜ ଆଭିନ୍ୟୁ କୋର୍ଟରେ ଆବେଦନ କରିଥିଲେ।
କୋର୍ଟ ଫେବ୍ରୁଆରୀ ୧୪ରେ କେଜ୍ରିଓ୍ବାଲଙ୍କୁ କହିଥିଲେ ଯେ, ଫେବ୍ରୁଆରୀ ୧୭ରେ କୋର୍ଟରେ ହାଜର ହୋଇ ସମନକୁ ନଆସିବାର କାରଣ ଜଣାନ୍ତୁ। ଆଉ ସେତେବେଳେ କେଜ୍ରିଓ୍ବାଲ ଭର୍ଚୁଆଲ ମାଧ୍ୟମରେ ହାଜ ହୋଇଥିଲେ। ଆଉ ଏହା ପରେ କୋର୍ଟ ମାମଲାର ଶୁଣାଣିକୁ ମାର୍ଚ୍ଚ ୧୬ରେ କରିବା ନେଇ କହିଥିଲେ। କେଜ୍ରିଓ୍ବାଲ ସେହିଦିନ କୋର୍ଟରେ ହାଜର ହେବେ।
ତେବେ ଏହାକୁ ନେଇ ଇଡି କହିଛି ଯେ, କୋର୍ଟରେ ସମନର ବୈଧତାକୁ ନେଇ ଶୁଣାଣି ହେଉନାହିଁ। କେଜ୍ରିଓ୍ବାଲ ପୂର୍ବରୁ ଜାରି କରାଯାଇଥିବା ୩ ସମନରେ ଜାଣିଶୁଣି ହାଜର ହୋଇନାହାଁନ୍ତି। ଏଥିପାଇଁ କୋର୍ଟ ମଧ୍ୟ କହିଛନ୍ତି ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅପରାଧ କରିଛନ୍ତି।





