ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଜେଡି ଛାଡିଲେ ଅଭିନେତା ତଥା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଭିଣୋଇ ଅରିନ୍ଦମ ରାୟ। ସେ ଦଳର ସାଧାରଣ ସଂପାଦକ ପଦ ସହିତ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଅରିନ୍ଦମ ନିଜ ଇସ୍ତଫାପତ୍ର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଛନ୍ତି।
ଇସ୍ତଫା ପତ୍ରରେ ନିଜର କ୍ଷୋଭ ଜଣାଇଛନ୍ତି ଅରିନ୍ଦମ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେ ଲେଖିଛନ୍ତି, ମୁଁ ଆପଣଙ୍କ ଦଳରେ ୨୦୦୯ରୁ କାର୍ଯ୍ୟ କରିଆସୁଛି। ୨୦୧୪ରୁ ମୁଁ ଆପଣଙ୍କ ଦଳର ଷ୍ଟାର କ୍ୟାମ୍ପେନର ରହି ଆସିଛି। ବିଭିନ୍ନ ନିର୍ବାଚନରେ କଟକ, ତିର୍ତ୍ତୋଲ, କୋରାପୁଟରେ ତୃଣମୂଳ ସ୍ତରରେ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିଛି। କିନ୍ତୁ ଦୁଃଖର ସହିତ କହିବାକୁ ପଡ଼ୁଛି ଯେ ମୋ କାର୍ଯ୍ୟକୁ ଆପଣ କିମ୍ବା ଆପଣଙ୍କ ଦ୍ୱାରା ନିଯୁକ୍ତ ସଦସ୍ୟମାନେ ଏଯାବତ ସ୍ୱୀକୃତି ଦେଇ ନାହାନ୍ତି। ମୁଁ ଆପଣଙ୍କୁ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲି। କିନ୍ତୁ ଦୁର୍ଭାଗ୍ୟ ବଶତଃ ଆପଣଙ୍କୁ ଦେଖା କରିବାକୁ ମୋତେ ସୁଯୋଗ ମିଳିଲା ନାହିଁ। ତେଣୁ ଆପଣଙ୍କୁ ଭେଟିବାର ମାପଦଣ୍ଡ ମୁଁ ପୂରଣ କରିପାରୁ ନାହିଁ ବୋଲି ଅନୁଭବ କଲି। ଆପଣଙ୍କ ଦଳରେ ମୋର ସ୍ଥାନ କିଛି ନୁହେଁ ବୋଲି ଭାବୁଛି। ତେଣୁ ମୁଁ ବିଜେଡିର ସାଧାରଣ ସଂପାଦକ ପଦ ଓ ପ୍ରାଥମିକ ସଦସ୍ୟତାରୁ ମୁଁ ଇସ୍ତଫା ଦେଉଛି।ଆଶା କରୁଛି ଆପଣ ମୋ ପରିସ୍ଥିତି ବୁଝିବେ ଓ ମୋ ଉପରେ କିଛି ଆକ୍ରୋଶ ରଖିବେ ନାହିଁ।
ତେବେ ଅରିନ୍ଦମ ବିଜେଡି ଛାଡ଼ିବାର ସଙ୍କେତ ଅନେକ ଦିନରୁ ମିଳି ସାରିଥିଲା। ଗତ ଜାନୁଆରୀ ମାସରେ କଟକ ବାଲିଯାତ୍ରା ପଡ଼ିଆରେ ସେ ଏକ ଯୁବ ସମ୍ମିଳନୀର ଆୟୋଜନ କରିଥିଲେ। ଏହି ସମ୍ମିଳନୀରେ ଲାଗିଥିବା ବ୍ୟାନରରେ ବିଜେଡିର ଦଳୀୟ ଚିହ୍ନ ନଥିଲା କି ମୁଖ୍ୟମନ୍ତ୍ରୀଙ୍କ ଫଟୋ ନଥିଲା। ସେହିପରି ସେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦେଖା କରିଥିଲେ ଅରିନ୍ଦମ, ସେ ସମୟର ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ତା’ପରେ କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସହ ତାଙ୍କର ଏକ ଫଟୋ ସୋଶାଲ୍ ମିଡ଼ିଆରେ ଭାଇରଲ ହୋଇଥିଲା। ଏହି ସବୁ ଘଟଣାକ୍ରମକୁ ଦେଖିଲେ ଅରିନ୍ଦମ ରାୟ ବିଜେଡି ଛାଡ଼ିବେ ବୋଲି ଅନେକ ଦିନ ହେବ ଚର୍ଚ୍ଚା ହୋଇଆସୁଥିଲା।





