ବିଜେପିରୁ ପୁଣି ରାଜ୍ୟସଭା ଯିବେ ମମତା ମହନ୍ତ!

 

ଭୁବନେଶ୍ୱର,୨/୮(ସତ୍ୟପାଠ ବ୍ୟୁରୋ):  ମମତା ମହନ୍ତ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେବା ଓ ବିଜେପିରେ ମିଶିବାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ | ମମତାଙ୍କ ଇସ୍ତଫା ପରେ ଏବେ ଖାଲି ପଡିଥିବା ଆସନରୁ କିଏ  ରାଜ୍ୟସଭାକୁ ଯିବ ତାକୁ ନେଇ ଚାରିଆଡେ ଚର୍ଚ୍ଚା | ତେବେ ବିଧାନସଭାରେ ସଂଖ୍ୟାଗରିଷ୍ଠତା ଥିବାରୁ, ଏ ଆସନ ପାଇଁ ନିର୍ବାଚନ ହେଲେ ଏହା ବିଜେପି ଜିତିବା ଏକ ପ୍ରକାର ନିଶ୍ଚିତ | ତେବେ ଏନେଇ ଏବେ ଗଣମାଧ୍ୟମଠୁ ନେଇ ସୋସିଆଲ ମିଡ଼ିଆ ସବୁଠି ଚର୍ଚ୍ଚା ଯେ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଏହି ଅସନରୁ ରାଜ୍ୟସଭାକୁ ପଠାଯାଇପାରେ | କାରଣ ତାଙ୍କ ନେତୃତ୍ୱରେ ଦଳ ପ୍ରଥମ ଥର ପାଇଁ ରାଜ୍ୟରେ ସରକାର ଗଠନ କରିଛି | ନିର୍ବାଚନ ପୂର୍ବରୁ ଯେତେବେଳେ ବିଜେପି-ବିଜେଡି ମେଣ୍ଟ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା, ସେତେବେଳେ ମନମୋହନ ହିଁ ଏକାକୀ ନିର୍ବାଚନ ଲଢ଼ିବାକୁ ଜିଦ ଧରିଥିଲେ | ବିଜେପି ଏକା ଲଢ଼ିଲା ଆଉ ସରକାର ବି ଗଠନ କଲା, ହେଲେ ଦୁର୍ଭାଗ୍ୟକୁ ନିଜେ ହାରି ଗଲେ ମନମୋହନ | ସେପଟେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହ, ନଡ୍ଡାଙ୍କର ପୁରୁଣା ସହଯୋଗୀ ହେଉଛନ୍ତି ମନମୋହନ | ବିଜେପି ଆରମ୍ଭ ଦିନରୁ ହିଁ ସେ ଦଳ ସହ ରହିଛନ୍ତି | ତେଣୁ ଦଳ ତାଙ୍କୁ ରାଜ୍ୟସଭା ପୁରସ୍କାର ଦେବ ବୋଲି ଚର୍ଚ୍ଚା ହେଉଛି | ଆଉ ସାଂସଦ ହେବା ପରେ ଦଳ ତାଙ୍କୁ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ କରିପାରେ ବୋଲି ମଧ୍ୟ କୁହାଯାଉଛି | ଏପରିକି ମନମୋହନ ରାଜ୍ୟସଭା ଗଲେ ଦଳ OBC କାର୍ଡ ଖେଳିବ ବୋଲି ବି କୁହାଯାଉଛି | 

ଏହା ବ୍ୟତୀତ ଦିଲ୍ଲୀପ ରାୟ ଓ ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନାଁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି | ସେପଟେ କୁହାଯାଉଛି ଯେ, ମମତା ମହନ୍ତ ବିଜେପିରେ ମିଶିବା ପଛରେ ତାଙ୍କୁ ଉତ୍ତର ଓଡିଶା ବିକାଶ ପରିଷଦର ଅଧକ୍ଷା କରାଯାଇପାରେ ବୋଲି ସର୍ତ୍ତ ରଖାଯାଇଛି | ତେବେ ମମତା ମହନ୍ତ ଛାଡିଥିବା ଆସନର କାର୍ଯ୍ୟକାଳ ଆଉ 2 ବର୍ଷ ରହିଛି | ତେବେ ବିଜେପିର ବିଶ୍ଵସ୍ଥ ସୂତ୍ର ଅନୁସାରେ, କୌଣସି ପୁରୁଣା ନେତାଙ୍କୁ ଦଳ ରାଜ୍ୟ ସଭା ପଠାଇବ ନାହିଁ | ବରଂ ବିଜେପି ମମତାଙ୍କୁ ହିଁ ରାଜ୍ୟସଭା ପଠାଇବ | ଆଉ ବିଜେପି ଟିକେଟ ରେ ପୁଣି ରାଜ୍ୟସଭା ଯିବେ ମମତା | କାରଣ ମମତା ରାଜ୍ୟସଭା ଗଲେ ବିଭିନ୍ନ ମହଲରେ ହେଉଥିବା ଚର୍ଚ୍ଚାରେ ପାଣି ପଡ଼ିଯିବ | ତେବେ ମମତାଙ୍କୁ ବିଜେଡି ଠାରୁ ଛଡେଇ ଆଣିବାର ଉଦେଶ୍ୟ ନୁହଁ ଓଡିଶା ବିଜେପି କୁ ଟାଣ କରିବା | ବରଂ ରାଜ୍ୟସଭାରେ ବିଜେପି ହରାଇଥିବା ସଂଖ୍ୟାଗରିଷ୍ଠତାକୁ ଫେରାଇ ଆଣିବାକୁ ଦଳର ଏହା ଏକ ଯୋଜନା | କେବଳ ବିଜେଡି ନୁହଁ ଆଗାମୀ ଦିନରେ ଆନ୍ଧ୍ରର YSR କଂଗ୍ରେସ ଓ ଅନ୍ୟ କିଛି ଛୋଟ ଛୋଟ ଦଳର ରାଜ୍ୟସଭା ସାଂସଦଙ୍କୁ ନିଜ ପକ୍ଷକୁ ଆଣିବାକୁ ବିଜେପି ରଣନୀତି କରିଥିବା କୁହାଯାଉଛି |

Related Posts