ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସବାର ଏବଂ ଶିକ୍ଷାନୁଷ୍ଠାନ ଓ ମନ୍ଦିର ପାଖ ମଦ ଦୋକାନ: ଅବକାରୀ ମନ୍ତ୍ରୀ

  

ଭୁବନେଶ୍ୱର,୨୪/୮(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଆଉ ଚାଲିପାରିବ ନାହିଁ ଡ୍ୟାନ୍ସବାର । ବନ୍ଦ କରାଯିବ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ପାଖରେ ଥିବା ମଦ ଦୋକାନ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜେପି ସରକାରଙ୍କ ଆଭିମୁଖ୍ୟ ପୂରା ସ୍ପଷ୍ଟ ।

ଯାହା କହୁଛୁ ସେଥିରେ ସ୍ପଷ୍ଟତା ଅଛି ଓ ତାକୁ କାର୍ଯ୍ୟରେ କରି ଦେଖାଇବୁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଖୁବଶୀଘ୍ର ଏକ ନୂଆ ଅବକାରୀ ନୀତି ଆଣିବାକୁ ଯାଉଛନ୍ତି, ଯେଉଁଥିରେ ରାଜ୍ୟରେ ସମସ୍ତ ଡ୍ୟାନ୍ସବାର ଚଳାଚଳକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ । ଏହା ଆମର ସଂସ୍କୃତି ନୁହେଁ । ସେହିପରି ପୂର୍ବ ସରକାର ସମୟରେ ବେଆଇନ ଭାବେ ଅନେକ ମଦଦୋକାନ ସ୍କୁଲକଲେଜ ଓ ମନ୍ଦିର ପାଖରେ ଖୋଲିଛି । ବିଜେପି ସରକାର ସେସବୁ ବନ୍ଦ କରିବେ ।ନିୟମ ଅନୁସାରେ ଧାର୍ଯ୍ୟ ଦୂରତ୍ୱ ରହିଲେ ହିଁ ସେସବୁ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ । ପୂର୍ବ ବିଜେଡି ସରକାର ସମୟରେ ହିଁ ରାଜ୍ୟରେ ବେଆଇନ ଓ ଚୋରା ମଦକାରବାର ବୃଦ୍ଧି ପାଇଛି । କିନ୍ତୁ ବିଜେପି ସରକାର ରାଜ୍ୟରେ ଏହି ଚୋରା ମଦକାରବାର ଉପରେ ସମ୍ପୂର୍ଣ୍ଣ ଲଗାମ ଦେବା ପାଇଁ ବଦ୍ଧ ପରିକର । ନୂଆ ଅବକାରୀ ନୀତିରେ ଏସବୁ ଉଲ୍ଲେଖ କରାଯିବ ।

ବିଜେଡି ସରକାରକୁ ସମାଲୋଚନା କରି ଶ୍ରୀ ହରିଚନ୍ଦନ କହିଥିଲେ ଯେ, ପୂର୍ବ ସରକାର ବେଆଇନ ମଦ କାରବାରକୁ ପ୍ରୋତ୍ସାହନ ଦେଉଥିଲା । କିନ୍ତୁ ବିଜେପି ସରକାର ସେଭଳି ହେବାକୁ ଦେବନି । ନୂଆ ଅବକାରୀ ନୀତି କାର୍ଯ୍ୟକ୍ଷମ ହେଲେ ବେଆଇନ ମଦ କାରବାର ନେଟୱାର୍କ ସମ୍ପୂର୍ଣ୍ଣ ଭୁଶୁଡ଼ିଯିବ । ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମଧ୍ୟ ସରକାରୀ ଜମିକୁ ଜବରଦଖଲ କରି ବେଆଇନ ଭାବେ ଖୋଲା ଯାଇଥିବା ମଦ ଦୋକାନ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ, ଚିକିଟି ମଦମୃତ୍ୟୁକୁ ନେଇ ଏବେ ଶାସକ-ବିରୋଧୀ ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ରାଜ୍ୟ ସରକାର ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

Related Posts