ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆମେରିକା-ଇରାନ ଯୁଦ୍ଧବିରତିକୁ ସ୍ୱାଗତ କଲା ଭାରତ । ତେବେ ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନାକୁ ପ୍ରଶମିତ କରିବା ଦିଗରେ ଏହା ଏକ ସକାରାତ୍ମକ ପଦକ୍ଷେପ ବୋଲି ବୈଦେଶିକ ମନ୍ତ୍ରଣାଳୟ ବର୍ଣ୍ଣନା କରିବା ସହ ଏହି ବୁଝାମଣା ଆଗାମୀ ଦିନରେ ଅଞ୍ଚଳରେ ସ୍ଥାୟୀ ଶାନ୍ତି ଓ ସ୍ଥିରତା ଆଣିଦେବ ବୋଲି ଆଶା ପ୍ରକଟ କରିଛି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି କରିଡର ”ହର୍ମୁଜ ପ୍ରଣାଳୀ” ଦେଇ ଅବାଧ ଓ ସୁରକ୍ଷିତ ଜଳଯାତ୍ରା ସୁନିଶ୍ଚିତ କରିବା ଉପରେ ଭାରତ ବିଶେଷ ଗୁରୁତ୍ୱାରୋପ କରିଛି। ସେପଟେ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତିରେ ସ୍ପଷ୍ଟ କରିଛି ଯେ, ସଂଘର୍ଷ ନୁହେଁ ବରଂ ଆଲୋଚନା, କୂଟନୀତି ଓ ସମନ୍ୱୟ ହିଁ ଯୁଦ୍ଧର ସମାଧାନ। ଏହି ରକ୍ତାକ୍ତ ସଂଘର୍ଷ କେବଳ ସାଧାରଣ ଜନତାଙ୍କୁ ଯନ୍ତ୍ରଣା ଦେଇନାହିଁ, ବରଂ ବିଶ୍ୱର ଶକ୍ତି ଯୋଗାଣ ଓ ବାଣିଜ୍ୟିକ ନେଟୱାର୍କକୁ ଛାରଖାର କରିଦେଇଛି। ହର୍ମୁଜ ପ୍ରଣାଳୀରେ ନୌଚଳାଚଳର ସ୍ୱାଧୀନତା ଓ ବାଣିଜ୍ୟର ନିରନ୍ତର ପ୍ରବାହ ପାଇଁ ଭାରତ ନିଜର ଦୃଢ଼ ଦାବି ଉପସ୍ଥାପନ କରିବା ସହ ପଶ୍ଚିମ ଏସିଆରେ ଶାନ୍ତି ଫେରାଇ ଆଣିବାକୁ ସମଗ୍ର ବିଶ୍ୱକୁ ଆହ୍ୱାନ ଦେଇଛି।