ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚଳିତ ବର୍ଷ ସିବିଏସ୍ଇ ଦଶମ ପାସ୍ ହାର ୯୩.୭୦%। ତେବେ ସର୍ବ ଭାରତୀୟସ୍ତରରେ ଦଶମ ପାସ୍ ହାର ୯୩.୭୦% ରହିିଥିବାବେଳେ ଭୁବନେଶ୍ୱର ରିଜିଅନ(ଓଡ଼ିଶା, ପଶ୍ଚିମବଙ୍ଗ ଓ ଛତିଶଗଡ଼)ରେ ପାସ୍ ହାର ୯୪.୬୭% ରହିଛି। ଚଳିତ ବର୍ଷ ଦଶମ ପାସ୍ ହାର ଗତବର୍ଷ ତୁଳନାରେ ୦.୦୪% ଅଧିକ ରହିଛି। ସେହିପରି ଏଥର ମଧ୍ୟ ପୁଅଙ୍କ ଅପେକ୍ଷା ଝିଅମାନେ ଆଗରେ ରହିଛନ୍ତି। ଛାତ୍ରୀଙ୍କ ପାସ୍ ହାର ୯୪.୯୯% ରହିଥିବାବେଳେ ଛାତ୍ରଙ୍କ ପାସ୍ହାର ୯୨.୬୯% ଏବଂ ଟ୍ରାନ୍ସଜେଣ୍ଡର ୮୭.୫୦% ରହିଛି। ଦଶମ ବୋର୍ଡ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିବା ମୋଟ ୨୪ ଲକ୍ଷ ୮୩ ହଜାର ୪୭୯ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୪ ଲକ୍ଷ ୭୧ ହଜାର ୭୭୭ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୨୩ ଲକ୍ଷ ୧୬ ହଜାର ୮ ଜଣ ଛାତ୍ରୀଛାତ୍ର ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ୨୦୨୫ରେ ଦଶମ ବୋର୍ଡ ପରୀକ୍ଷା ପାଇଁ ୨୩ ଲକ୍ଷ ୮୫ ହଜାର ୭୯ ଜଣ ଛାତ୍ରୀଛାତ୍ର ପଞ୍ଜୀକୃତ କରିଥିଲେ। ସେଥିମଧ୍ୟରୁ ୨୩ ଲକ୍ଷ ୭୧ ହଜାର ୯୩୯ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ।ସେମାନଙ୍କ ମଧ୍ୟରୁ ୨୨ ଲକ୍ଷ ୨୧ ହଜାର ୬୩୬ ଜଣ ଛାତ୍ରୀଛାତ୍ର ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିଲ, ଯାହାର ପାସ୍ ହାର ୯୩.୬୬ ରହିଥିଲା। ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମସ୍ଥାନରେ କେରଳର ତ୍ରିଭେନ୍ଦ୍ରମ୍ ରିଜିଅନ ଏବଂ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ରିଜିଅନ ରହିଛି। ଉଭୟ ରିଜିଅନରେ ପାସ୍ ହାର ୯୯.୭୯% ରହିଛି। ସେହିପରି ତାଲିମନାଡୁର ଚେନ୍ନାଇ ରିଜିଅନ ୯୯.୫୮% ମାର୍କ ରଖି ତୃତୀୟସ୍ଥାନରେ ରହିଛି। ୯୮.୯୧% ସହ ଚତୁର୍ଥସ୍ଥାନରେ ବେଙ୍ଗାଲୁରୁ, ୯୭.୪୫% ସହ ପଞ୍ଚମରେ ଦିଲ୍ଲୀ ଓ୍ବେଷ୍ଟ ରହିଛି। ତେବେ ଷଷ୍ଠରେ ଦିଲ୍ଲୀ ଇଷ୍ଟ ୯୭.୩୩% ରଖିଥିବାବେଳେ ୯୬.୬୬%ରେ ସପ୍ତମରେ ପୁନେ ରହିଛି। ତେବେ ୧୧ତମ ସ୍ଥାନରେ ଭୁବନେଶ୍ୱର ରିଜିଅନ ଥିବାବେଳେ ପାସ୍ ହାର ୯୪.୬୭% ରହିଛି। ଚଳିତ ବର୍ଷ କେନ୍ଦ୍ରୀୟ ବିଦ୍ୟାଳୟ(କେଭି)୯୯.୫୭% ମାର୍କ ରଖି ଶ୍ରେଷ୍ଠ ପ୍ରଦର୍ଶନ କରିଛି। ଜବାହର ନବୋଦୟ ବିଦ୍ୟାଳୟ(ଜେଏନ୍ୟୁ) ୯୯.୪୨% ମାର୍କ ରଖି ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟାନ୍ୟ ସ୍କୁଲ ବର୍ଗ ମଧ୍ୟରେ ଏସ୍ଟିଏସ୍ଏସ ୯୭.୪୨%, ସରକାରୀ ସ୍କୁଲ ୯୧.୪୩ % , ସରକାରୀ ସହାୟତା ପ୍ରାପ୍ତ ସ୍କୁଲ ୯୧.୦୧ % ରଖିଥିବା ବେଳେ ବେସରକାରୀ ସ୍କୁଲ ୯୩.୭୭ % ମାର୍କ ରଖି ରେକର୍ଡ କରିଛି।
