ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ଉପାଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନ ଦାଖଲ କଲେ ସାଂସଦ ହରିବଂଶ ନାରାୟଣ ସିଂହ । ତେବେ ସଂସଦର ଉଚ୍ଚ ସଦନର କାର୍ୟ୍ୟପଦ୍ଧତି ଏବଂ କାର୍ୟ୍ୟ ଆଚରଣ ନିୟମର ନିୟମ ୭ ଅନୁଯାୟୀ, ରାଜ୍ୟସଭା ଏପ୍ରିଲ ୧୭ (ଶୁକ୍ରବାର) ଏହାର ନୂତନ ଉପସଭାପତିଙ୍କୁ ନିର୍ବାଚନ କରିବାକୁ ଯାଉଛି। ଆନୁଷ୍ଠାନିକ କାର୍ୟ୍ୟଧାରା ଦିନ ୧୧ଟାରୁ ଆରମ୍ଭ ହେବାକୁ ଯାଉଛି। ଏପ୍ରିଲ ୯ ତାରିଖରେ ହରିବଂଶଙ୍କ କାର୍ୟ୍ୟକାଳ ଶେଷ ହେବା ପରେ ଏହି ଉପାଧ୍ୟକ୍ଷ ପଦ ଖାଲି ପଡ଼ିଥିଲା। ସୂଚନାଯୋଗ୍ୟ, ହରିବଂଶ ୨୦୧୮ରୁ ରାଜ୍ୟସଭା ଉପାଧ୍ୟକ୍ଷ ପଦରେ ଅଛନ୍ତି। ଏପ୍ରିଲ ୧୦ ତାରିଖରେ ଏକ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହରିବଂଶ ନାରାୟଣ ସିଂହଙ୍କୁ ରାଜ୍ୟସଭା ସଦସ୍ୟ ଭାବରେ ମନୋନୀତ କରିଛନ୍ତି। ସମ୍ବିଧାନର ଧାରା ୮୯ (୨) ଅନୁଯାୟୀ ଭାରତର ଉପରାଷ୍ଟ୍ରପତି ରାଜ୍ୟସଭା ଅଧ୍ୟକ୍ଷ ଭାବରେ କାର୍ୟ୍ୟ କରନ୍ତି। ଉପାଧ୍ୟକ୍ଷ ରାଜ୍ୟସଭା ସଦସ୍ୟଙ୍କ ମଧ୍ୟରୁ ନିର୍ବାଚିତ ହୁଅନ୍ତି। ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଉପାଧ୍ୟକ୍ଷ ଗୃହରେ ଅଧ୍ୟକ୍ଷତା କରନ୍ତି। ତେବେ ଆସନ୍ତାକାଲି ହେବାକୁ ଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ଇଣ୍ଡି ମେଣ୍ଟ ବିରୋଧ କରିବ ବୋଲି ଜଣାପଡ଼ିଛି।
