ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲୋକସଭାରେ ମହିଳା ସଂରକ୍ଷଣ ବିଲକୁ କଂଗ୍ରେସ ସମର୍ଥନ କରିଥିବାବେଳେ ସୀମା ପୁନଃନିର୍ଦ୍ଧାରଣ ବିଲକୁ ନେଇ ଉଠାଇଛି ପ୍ରଶ୍ନ । ତେବେ କଂଗ୍ରେସ ପକ୍ଷରୁ ଚର୍ଚ୍ଚାରେ ଭାଗ ନେଇ ଗୋ‌ଗୋଇ କହିଛନ୍ତି, କେନ୍ଦ୍ର ସରକାର ସାରା ଦେଶରେ ମହିଳା ସଂରକ୍ଷଣ ବିଲ୍‌ ଆଳରେ ସୀମା ପୁନଃନିର୍ଦ୍ଧାରଣ କରିବା ପାଇଁ ଚାହୁଁଛନ୍ତି। ସେ କହିଛନ୍ତି, କଂଗ୍ରେସ ସର୍ବଦା ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ କରିଥାଏ। କିନ୍ତୁ ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ଆଣି କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍‌ରେ ବାଧା ସୃଷ୍ଟି କରିବାକୁ ଚାହୁଛନ୍ତି। ସେ ଦୁଇଟିଯାକ ବିଲ୍‌କୁ ଅଲଗା କରିବାକୁ କହିଛନ୍ତି। ଗୋଗୋଇ ଲୋକସଭାରେ କହିଥିଲେ ଯେ, ଏବେ ଆଇନ ମନ୍ତ୍ରୀ କହିବା ପରି ତିନି ବର୍ଷ ପୂର୍ବେ କେନ୍ଦ୍ର ଗୃହମନ୍ତ୍ରୀ ସମାନ କଥା କହିଥିଲେ। ଆମେ ସେତେବେଳେ ବି କହିଥିଲୁ ଓ ଏବେବି କହୁଛୁ ଯେ କଂଗ୍ରେସ ମହିଳା ସଂରକ୍ଷଣକୁ ସମର୍ଥନ କରେ। କିନ୍ତୁ ମହିଳା ସଂରକ୍ଷଣକୁ ସରଳ କରନ୍ତୁ ଯାହା ଦ୍ଵାରା ଏହା ପାରିତ ହେବା ମାତ୍ରେ କାର୍ୟ୍ୟକାରୀ ହୋଇପାରିବ ବୋଲି ଗୋଗୋଇ କହିଥିଲେ।