ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଡାକ୍ତର ମହେଶ ମୋହନ ପଣ୍ଡା ହେଲେ ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ । ତେବେ ରାଜ୍ୟ ସ୍ୱାସ୍ଥ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିଛି। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହେଶ ମୋହନ ପଣ୍ଡାଙ୍କୁ ପଦୋନ୍ନତି ମିଳିବା ସହ ତାଙ୍କୁ ରାଜ୍ୟର ନୂତନ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସମ୍ପର୍କିତ ଏକ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭାଗୀୟ ବିଜ୍ଞପ୍ତି ସଂଖ୍ୟା ୧୦୮୫୯ ଅନୁଯାୟୀ, ଓଡ଼ିଶା ମେଡିକାଲ୍ ଏବଂ ହେଲଥ୍ ସର୍ଭିସ୍ କ୍ୟାଡରର ୪ ଜଣ ବରିଷ୍ଠ ଚିକିତ୍ସାଧିକାରୀଙ୍କୁ ସିନିୟର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍ ରୁ ସୁପର ଟାଇମ୍ ପେ ଗ୍ରେଡ୍ କୁ ପଦୋନ୍ନତି ପ୍ରଦାନ କରାଯାଇଛି। ଏହି କ୍ରମରେ ଡାକ୍ତର ପଣ୍ଡାଙ୍କୁ ନୂତନ ପଦବୀରେ ଅବସ୍ଥାପିତ କରାଯାଇଛି। ସେ ORSP ନିୟମ-୨୦୧୭ର ପେ-ମାଟ୍ରିକ୍ସ ଲେଭଲ-୧୭ ଅନୁଯାୟୀ ଦରମା ପାଇବେ। ଏହି ନିଯୁକ୍ତି ଆଡହକ୍ ଭିତ୍ତିରେ କରାଯାଇଥିବା ବେଳେ OPSCର ସୁପାରିଶ କିମ୍ବା ତାଙ୍କର ଅବସର ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଡାକ୍ତର ମହେଶ ମୋହନ ପଣ୍ଡା ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ପଦବୀରୁ ପଦୋନ୍ନତି ପାଇ ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ସମ୍ଭାଳିବେ।ଡାକ୍ତର ପ୍ରଦୀପ କୁମାର ହୋତା ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ପଦବୀରୁ ତାଙ୍କୁ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ଡାକ୍ତର ନୀଳାକ୍ଷୀ ସରକାର ଓ ଡାକ୍ତର ମନୋରଞ୍ଜନ ରାଉତଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ-ସମ-ପଦାଧିକାରୀ ସୂତ୍ରେ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି।ରାଜ୍ୟପାଳଙ୍କ ଆଦେଶକ୍ରମେ ପ୍ରକାଶିତ ଏହି ନିର୍ଦ୍ଦେଶନାମାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ ଜଣେ ଦକ୍ଷ ପ୍ରଶାସକ ଭାବେ ପରିଚିତ ଡାକ୍ତର ପଣ୍ଡା ଏବେ ସାରା ରାଜ୍ୟର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ତଦାରଖ କରିବେ। ତାଙ୍କର ଏହି ନୂତନ ନିଯୁକ୍ତି ପରେ ଚିକିତ୍ସା କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ହେବ ବୋଲି ସାଧାରଣରେ ଆଶା କରାଯାଉଛି।