ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ବାହାରିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ । ପଶ୍ଚିମବଙ୍ଗ, କେରଳମ୍‌, ତାମିଲନାଡ଼ୁ, ଆସାମ ଓ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀର ନିର୍ବାଚନୀ ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ କର୍ମକର୍ତ୍ତା ଓ ଏଜେଣ୍ଟଙ୍କୁ କାଉଣ୍ଟିଂ ବୁଥ୍ ନଛାଡ଼ିବାକୁ ଆପିଲ୍ କଲେ ମମତା ବାନାର୍ଜୀ। ତେବେ ରାଜ୍ୟରେ ବିଜେପି (BJP) ବହୁମତ ସଂଖ୍ୟା ଅତିକ୍ରମ କରି ବହୁ ଆଗରେ ରହିଥିବା ବେଳେ, ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ନିଜର କର୍ମକର୍ତ୍ତା ଏବଂ କାଉଣ୍ଟିଂ ଏଜେଣ୍ଟମାନଙ୍କ ପାଇଁ ଏକ ଜରୁରୀ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ମମତା ବାନାର୍ଜୀ ନିଜ ଏଜେଣ୍ଟମାନଙ୍କୁ ନିବେଦନ କରିଛନ୍ତି ଯେ, କୌଣସି ବି ପରିସ୍ଥିତିରେ ଗଣତି କେନ୍ଦ୍ର ଛାଡ଼ି ବାହାରକୁ ଆସନ୍ତୁ ନାହିଁ। ସେ କହିଛନ୍ତି, “ଏବେ ମାତ୍ର ୨ ରୁ ୪ ରାଉଣ୍ଡ ଗଣତି ହୋଇଛି, ଏବେ ବି ୧୪ ରୁ ୧୮ ରାଉଣ୍ଡ ବାକି ଅଛି।” ଟ୍ରେଣ୍ଡରେ ପଛୁଆ ଥିଲେ ମଧ୍ୟ ସେ ନିଜ କର୍ମକର୍ତ୍ତାଙ୍କ ମନୋବଳ ବଢ଼ାଇବାକୁ ଯାଇ କହିଛନ୍ତି, “ମନ ଦୁଃଖ କରନ୍ତୁ ନାହିଁ, ସୂର୍ଯ୍ୟାସ୍ତ ପରେ ଆମେ ହିଁ ଜିତିବୁ। ବିଜେପି ଜାଣିଶୁଣି ଭୁଲ୍ ତଥ୍ୟ (Fake News) ପ୍ରସାର କରୁଛି ବୋଲି କହିଛନ୍ତି । ଏହା ସହ ମମତା ଅଭିଯୋଗ କରିଛନ୍ତି ଯେ ନିର୍ବାଚନ କମିଶନ ଜାଣିଶୁଣି ଗଣତି ପ୍ରକ୍ରିୟାକୁ ଧିମା କରିଦେଇଛନ୍ତି, ଯାହାଫଳରେ ତୃଣମୂଳ କଂଗ୍ରେସର ଆସନ ସଂଖ୍ୟା ସାମ୍ନାକୁ ଆସିପାରୁ ନାହିଁ ବୋଲି କହିଛନ୍ତି ।