ଗ୍ରାମସଭାର ବିରୋଧ ସତ୍ତ୍ୱେ ଜମି ଅଧିଗ୍ରହଣ କାହିଁକି? ଓଡ଼ିଶାର ଅନ୍ୟ ଖଣି ପ୍ରକଳ୍ପର ଅନୁମୋଦନ ଯାଞ୍ଚ ହେବ କି?

ଭୁବନେଶ୍ୱର: ସୁନ୍ଦରଗଡ଼ର ଲାଞ୍ଜିବେର୍ଣ୍ଣା ଖଣି ସମ୍ପ୍ରସାରଣ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଓଡ଼ିଶା ସରକାରଙ୍କ ଜମି ଅଧିଗ୍ରହଣ ପ୍ରକ୍ରିୟା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି।

ନଭେମ୍ବର ୧୮ରେ ସୁପ୍ରିମକୋର୍ଟ ଡାଲମିଆ ସିମେଣ୍ଟର ଖଣି ସମ୍ପ୍ରସାରଣ ପାଇଁ କୁକୁଡ଼ା, ବିହାବନ୍ଧ ଓ ଲାଞ୍ଜିବେର୍ଣ୍ଣା ଗାଁର ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ରଦ୍ଦ କରିଛନ୍ତି।

କାରଣ—ଆବଶ୍ୟକ ଗ୍ରାମସଭା ସମ୍ମତି ନଥିଲା। ଘରୋଇ କମ୍ପାନୀ ପାଇଁ ଜମି ଅଧିଗ୍ରହଣରେ ପ୍ରଭାବିତ ପରିବାରଙ୍କ ଅତିକମରେ ୮୦ ପ୍ରତିଶତ ସମ୍ମତି ମଧ୍ୟ ନିଆଯାଇନଥିଲା।

୨୦୨୦ ଜାନୁଆରୀ ୨୬ରେ ଗ୍ରାମସଭାଗୁଡ଼ିକ ପ୍ରସ୍ତାବକୁ ବିରୋଧ କରିଥିଲେ। ତଥାପି ୨୦୨୧ରେ ଅଧିଗ୍ରହଣ ପ୍ରକ୍ରିୟା ଆଗକୁ ବଢ଼ିଥିଲା।

ସତ୍ୟପାଠର ପ୍ରଥମ ପ୍ରଶ୍ନ—ଗ୍ରାମସଭା ମନା କରିବା ପରେ ମଧ୍ୟ ଜମି ଅଧିଗ୍ରହଣକୁ ଆଗକୁ ବଢ଼ାଇବାର ନିଷ୍ପତ୍ତି କିଏ ନେଇଥିଲେ?

ଏହି ମାମଲାରେ ସାମାଜିକ ପ୍ରଭାବ ଆକଳନ ବା SIAର ସ୍ୱଚ୍ଛତା ଉପରେ ମଧ୍ୟ ଅଦାଲତ ପ୍ରଶ୍ନ ଉଠାଇଛନ୍ତି। ଆବଶ୍ୟକ ଜନଶୁଣାଣି ହୋଇନଥିଲା। ଆହୁରି ଗୁରୁତର କଥା, SIA ଯାଞ୍ଚ କରୁଥିବା ବିଶେଷଜ୍ଞ କମିଟିରେ କମ୍ପାନୀର ଜମି ଅଧିଗ୍ରହଣ ପରାମର୍ଶଦାତା ସାମିଲ ଥିଲେ।

ତେବେ ଯେଉଁ କମିଟି ସ୍ୱାଧୀନ ଭାବେ ପ୍ରକଳ୍ପର ପ୍ରଭାବ ଯାଞ୍ଚ କରିବା କଥା, ସେଠାରେ ଲାଭାନ୍ୱିତ କମ୍ପାନୀର ପରାମର୍ଶଦାତାଙ୍କୁ ସ୍ଥାନ ଦେଲା କିଏ?

ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି—ଖଣି ଲିଜ୍ ଥିବା ଅର୍ଥ ଜମି ଉପରେ ଆପେଆପେ ଦଖଲ ଅଧିକାର ମିଳିଯିବା ନୁହେଁ।

ଏହି ରାୟ ପରେ ଓଡ଼ିଶାର ସିଜିମାଳି, ବାଲ୍‌ଡା ଓ ଅନ୍ୟାନ୍ୟ ଆଦିବାସୀ ଅଞ୍ଚଳର ଖଣି ପ୍ରକଳ୍ପଗୁଡ଼ିକର ଜମି ଅଧିଗ୍ରହଣ ରେକର୍ଡ ଯାଞ୍ଚର ଦାବି ଆହୁରି ପ୍ରାସଙ୍ଗିକ ହୋଇଛି।

ଏହାର ଅର୍ଥ ନୁହେଁ ଯେ ସେହି ସବୁ ପ୍ରକଳ୍ପ ବେଆଇନ। କିନ୍ତୁ ଯେଉଁଠି ସମାନ ଆଇନଗତ ବ୍ୟବସ୍ଥା ପ୍ରଯୁଜ୍ୟ, ସେଠାରେ ସମ୍ମତି, ଜନଶୁଣାଣି ଓ ଅନୁମୋଦନର ରେକର୍ଡ ଯାଞ୍ଚ ହେବା ଆବଶ୍ୟକ।

ସରକାର କ’ଣ ରାଜ୍ୟର ଅନୁସୂଚିତ ଅଞ୍ଚଳରେ ଖଣି ପାଇଁ ହୋଇଥିବା ଜମି ଅଧିଗ୍ରହଣର ସ୍ୱତନ୍ତ୍ର ଅଡିଟ୍ କରିବେ?

ଆଉ ଏକ ପ୍ରଶ୍ନ—ଯେଉଁ ଅଧିକାରୀମାନେ ଆଇନଗତ ସମ୍ମତି ବିନା ପ୍ରକ୍ରିୟା ଆଗକୁ ବଢ଼ାଇଥିଲେ, ସେମାନଙ୍କ ନିଷ୍ପତ୍ତିର ସମୀକ୍ଷା ହେବ କି?

ଏହି ଅଧିଗ୍ରହଣ ୨୦୨୧ରେ ଆଗକୁ ବଢ଼ିଥିଲା, ଯେତେବେଳେ ରାଜ୍ୟରେ ବିଜେଡି ସରକାର ଥିଲା। ଏବେ ରାୟ ପରେ ଆଇନ ପାଳନ ସୁନିଶ୍ଚିତ କରିବାର ଦାୟିତ୍ୱ ବର୍ତ୍ତମାନର ବିଜେପି ସରକାରଙ୍କର।

ଲାଞ୍ଜିବେର୍ଣ୍ଣା ରାୟର ବଡ଼ ସନ୍ଦେଶ—ଖଣି ପାଇଁ ସରକାରଙ୍କ ଅନୁମତି ଯଥେଷ୍ଟ ନୁହେଁ; ଯେଉଁଠି ଆଇନ ଗ୍ରାମସଭାର ସମ୍ମତି ମାଗୁଛି, ସେଠାରେ ଲୋକଙ୍କ ଅଧିକାରକୁ ଏଡ଼ାଇ ଦିଆଯାଇପାରିବ ନାହିଁ।