ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ବାହାରିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ । ପଶ୍ଚିମବଙ୍ଗ, କେରଳମ୍‌, ତାମିଲନାଡ଼ୁ, ଆସାମ ଓ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀର ନିର୍ବାଚନୀ ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ ଭୋଟ ଗଣନା ବେଳେ ପଶ୍ଚିମବଙ୍ଗରେ ହିଂସା । ତେବେ ବିଜେପି ୧୯୪ଟି ଆସନରେ ଓ ଟିଏମସି ୯୩ଟି ଆସନରେ ଆଗୁଆ ଅଛି। ଏପର୍ଯ୍ୟନ୍ତ ବିଜେପି ୪୫% ଭୋଟ ଓ ଟିଏମସି ୪୨% ଭୋଟ ପାଇଛି। ଭୋଟ ଗଣନା ସମୟରେ ପଶ୍ଚିମବଙ୍ଗର ଚାରୋଟି ସ୍ଥାନରେ ହିଂସା ଓ ସଂଘର୍ଷ ଘଟିଥିଲା। ଆସାନସୋଲରେ ଟିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଥିଲା ଓ ଜମୁରିଆରେ ପୋଡ଼ାଜଳା ଘଟଣା ଦେଖିବାକୁ ମିଳିଛି। ନିର୍ବାଚନ ଫଳାଫଳ ଘୋଷଣା ହେବା ପୂର୍ବରୁ ଆସାନସୋଲର ଜମୁରିଆ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇଛି। ଜମୁରିଆର ଚୁରୁଲିଆ ଅଞ୍ଚଳରେ ତୃଣମୂଳ କଂଗ୍ରେସ (ଟିଏମସି)ର ଏକ ଦଳୀୟ କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଛି। ବିଜେପି କର୍ମୀ ଏହି ପୋଡ଼ାଜଳା କରିଥିବା ଅଭିଯୋଗ ହୋଇଛି।

ଉତ୍ତର ୨୪ ପରଗଣାର ବାରାକପୁରରେ ରାଷ୍ଟ୍ରଗୁରୁ ସୁରେନ୍ଦ୍ରନାଥ ଗଣନା କେନ୍ଦ୍ରରେ ଟିଏମସି ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଘଟଣାସ୍ଥଳରେ ସୁରକ୍ଷା କର୍ମୀ ଉପସ୍ଥିତ ଅଛନ୍ତି। ଆସନସୋଲରେ ଟିଏମ୍‌ସି କ୍ୟାମ୍ପ ଅଫିସରେ ଭଙ୍ଗାରୁଜା ହୋଇଛି। କୁଚବିହାରରେ ବିଜେପି ଓ ଟିଏମ୍‌ସି ସମର୍ଥକ ମୁହାଁମୁହିଁ ହେବାପରେ ସୁରକ୍ଷାକର୍ମୀ ଲାଠିଚାର୍ଜ କରିଛନ୍ତି।