ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ବାହାରିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ । ପଶ୍ଚିମବଙ୍ଗ, କେରଳମ୍, ତାମିଲନାଡ଼ୁ, ଆସାମ ଓ କେନ୍ଦ୍ରଶାସିତ ପ୍ରଦେଶ ପୁଡୁଚେରୀର ନିର୍ବାଚନୀ ଫଳାଫଳ ଉପରେ ସାରା ଦେଶର ନଜର ରହିଛି । ଏହା ମଧ୍ୟରେ ୧୦୦ କେନ୍ଦ୍ରରେ ଗଣନା ବନ୍ଦ ରହିଥିବାର ଅଭିଯୋଗ ଆଣିଲେ ମମତା ବାନାର୍ଜୀ । ତେବେ ତୃଣମୂଳ କର୍ମୀମାନଙ୍କୁ ଗଣନା କେନ୍ଦ୍ରରେ ରହିବାକୁ ଆହ୍ୱାନ କରି ଟିଏମସି ସୁପ୍ରିମୋ ଅଭିଯୋଗ କରିଛନ୍ତି ଯେ ୧୦୦ରୁ ଅଧିକ କେନ୍ଦ୍ରରେ ଗଣନା ବନ୍ଦ କରାଯାଇଛି। ମମତା ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ମୁଁ ଗତକାଲି କହିଥିବା ପରି ପ୍ରଥମ ୨-୩ ରାଉଣ୍ଡ ପରେ ସେମାନେ ବିଜେପି ଜିତିଥିବା ଦର୍ଶାଇବେ। ଏବେ ୧୦୦ରୁ ଅଧିକ କେନ୍ଦ୍ରରେ ଗଣନା ବନ୍ଦ ରହିଛି ବୋଲି କହିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ମମତା କହିଛନ୍ତି, ନିର୍ବାଚନ ସଂସ୍ଥାର କର୍ମୀମାନେ ଭୋଟ ଗଣନା ବନ୍ଦ କରିଦେଇଛନ୍ତି। ବିଶେଷକରି ତୃଣମୂଳ କଂଗ୍ରେସ ଆଗରେ ଥିବା ଅଞ୍ଚଳରେ ଗଣନା ବନ୍ଦ ରହିଥିବା ଅଭିଯୋଗ କରିଛନ୍ତି।
ପାଖାପାଖି ୧୦୦ ଆସନରେ ଟିଏମ୍ସି ଆଗୁଆ ରହିଛି କିନ୍ତୁ ଏହା ପ୍ରକାଶ କରାଯାଉ ନାହିଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଓ କେନ୍ଦ୍ର ସରକାର ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) ନାଁରେ ଭୋଟ ସବୁ ଲୁଟି ନେଇଛନ୍ତି। ମମତା ଗଣନା ଏଜେଣ୍ଟ ଓ ଦଳୀୟ ପ୍ରାର୍ଥୀଙ୍କୁ ଗଣନା କେନ୍ଦ୍ର ନ ଛାଡ଼ିବାକୁ କହିଛନ୍ତି।
